ଚଳିତବର୍ଷ ଘାଟିରେ ୧୬୫ ଆତଙ୍କବାଦୀ ନିପାତ, ୩୨ ଯବାନ ସହିଦ
ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଘଟଣା ତଥା ଅନୁପ୍ରବେଶ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ରାଜ୍ୟସଭାରେ ଏକ ଉତ୍ତର ରଖିଛି। ସରକାର କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ କାଶ୍ମୀରରେ ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ଅକ୍ଟୋବର ମାସରେ ୩୭ଟି ଘଟଣା ଘଟିଥିବା ସରକାର କହିଛନ୍ତି।
ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ପରେ ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ଅଗଷ୍ଟ ମାସରେ ଘଟିଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ଅଗଷ୍ଟ ୨୦୨୧ରେ ୩୬ଟି ଆତଙ୍କବାଦୀ ଘଟଣା ଘଟିଥିଲା। ୨୦୧୮ ମସିହାରୁ ମୋଟ ଆତଙ୍କବାଦୀ ଘଟଣାରେ କ୍ରମାଗତ ହ୍ରାସ ଘଟିଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି। ୨୦୧୮ ରେ ସମୁଦାୟ ଆତଙ୍କବାଦୀ ଘଟଣାର ସଂଖ୍ୟା ୪୧୭ ଥିଲା, ଯାହା ୨୦୧୯ରେ ୨୫୫, ୨୦୨୦ ବର୍ଷରେ ୨୪୪ ଏବଂ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୨୦୦କୁ ହ୍ରାସ ପାଇଛି।
କେବଳ ଏତିକି ନୁହେଁ ସୀମାରେ ଅନୁପ୍ରବେଶ ମାମଲା ମଧ୍ୟ ହ୍ରାସ ପାଇଛି। ୨୦୧୮ ରେ ୧୪୩ ଟି ମାମଲା, ୨୦୧୯ରେ ୧୪୧ ଟି ଏବଂ ୨୦୨୦ରେ ୫୧ଟି ମାମଲା ଥିଲା। ଏଥି ସହିତ, ୨୦୨୧ମସିହାରେ ଏପର୍ଯ୍ୟନ୍ତ ୫୧ଟି ଅନୁପ୍ରବେଶ ମାମଲା ରିପୋର୍ଟ ହୋଇଛି।
ରାଜ୍ୟସଭାରେ ମନ୍ତ୍ରଣାଳୟ କହିଛି ଯେ ଚଳିତ ବର୍ଷ ୩୨ଜଣ ସେନା ଏବଂ ପାରାମିଲିଟାରୀ ଫୋର୍ସ ସହିଦ ହୋଇଥିବାବେଳେ ଜାମ୍ମୁ କାଶ୍ମୀର ପୋଲିସର ୧୯ ଜଣ ଶହୀଦ ହୋଇଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ୧୬୫ ଆତଙ୍କବାଦୀ ନିହତ ହୋଇଛନ୍ତି।