ପାକିସ୍ତାନ ମସଜିଦରେ ଆତ୍ମଘାତୀ ବୋମା ବିସ୍ଫୋରଣ : ୫୬ ମୃତ, ୨୦୦ ଆହତ
ପେଶାୱର : ପାକିସ୍ତାନର ପେଶାୱରରେ ଶୁକ୍ରବାର ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି । ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୦ ଲୋକେ ଆହତ ହୋଇଥିବା ଜଣାପଡ଼ିଛି । ତେବେ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏହି ବିସ୍ଫୋରଣ ପେଶାୱରର କୋଚା ରିସାଲଦାର ଅଞ୍ଚଳର କିସା ଖ୍ୱାନୀ ବଜାରରେ ଥିବା ଏକ ଶିଆ ମସଜିଦରେ ଘଟିଛି । ଏହି ହମଲା ସମୟରେ ମସଜିଦରେ ପାଖାପାଖି ୧୫୦ ଲୋକ ଥିଲେ ।
ପେଶାୱର ପୁଲିସ ଅନୁସାରେ ସହରର କିସା ଖ୍ୱାନୀ ବଜାରରେ ଦୁଇ ଆକ୍ରମଣକାରୀ ମସଜିଦରୋ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ । ସନ୍ଦେହ ହେବାରୁ ପୁଲିସ୍ ସେମାନଙ୍କୁ ରୋକିବାକୁ ଚାହିଁଥିଲା । କିନ୍ତୁ ଦୁଇ ଆକ୍ରମଣକାରୀ ପୁଲିସକର୍ମୀଙ୍କ ଉପରକୁ ଘନଘନ ଫାୟାରିଂ କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଜଣେ ଆକ୍ରମଣକାରୀ ମଧ୍ୟ ପୁଲିସ୍ ଗୁଳିରେ ନିହତ ହୋଇଛି । ଫାୟାରିଂରେ ଆଉ ଜଣେ ପୁଲିସ୍ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏହାରି ଭିତରେ ଏକାକୀ ରହିଯାଇଥିବା ଆକ୍ରମଣକାରୀ ମସଜିଦରେ ପ୍ରବେଶ କରିଥିଲା ଏବଂ ସେ ନିଜକୁ ବୋମାରେ ଉଡ଼ାଇ ଦେଇଥିଲେ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦରେ ଥିବା ଲୋକେ ଛିଟିକି ପଡ଼ିଥିଲେ ।
ଉଦ୍ଧାରକାରୀ ଟିମ୍ ଆହତଙ୍କୁ ଲେଡି ରେଡିଙ୍ଗ୍ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଆହତଙ୍କୁ ନିଜ ନିଜର ଗାଡ଼ି ଯୋଗେ ହସ୍ପିଟାଲକୁ ନେଇଥିଲେ । ଘଟଣା ପରେ ପୁଲିସ୍ ଓ ସୁରକ୍ଷା ଟିମ୍ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି । ଲେଡି ରେଡିଙ୍ଗ ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି । ତେବେ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଏହି ଭୟଙ୍କର ବିସ୍ଫୋରଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୃଢ଼ ନିନ୍ଦା କରିଛନ୍ତି । ଇମ୍ରାନ୍ ଆହତଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପେଶାୱରର ମୁଖ୍ୟମନ୍ତ୍ରୀ ମେହମୁଦ୍ ଖାନ୍ ମଧ୍ୟ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ପେଶାୱରର ଆଇଜିପିକୁ ଆକ୍ରମଣ ରିପୋର୍ଟ ମାଗିଛନ୍ତି । ଏହା ପୂର୍ବରୁ ପାକିସ୍ତାନର କ୍ୱେଟାରେ ଗୁରୁବାର ଧମାକା ହୋଇଥିଲା । ଏଥିରେ ପୁଲିସ୍ ଅଧିକାରୀ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପୁଲିସ୍ ଭ୍ୟାନ୍ ନିକଟରେ ହୋଇଥିଲା । ବିସ୍ଫୋରଣରେ ଦୁଇର ଅଢ଼େଇ କିଲୋର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।