ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ
![](https://thetruths.in/wp-content/uploads/2021/08/loksabha-bhaban-1024x576.jpg)
- କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ କାମ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ନିଅଣ୍ଟିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋମବାର ସମସ୍ତ ବିଭାଗର ସଚିବ ଓ ଜିଲାପାଳମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଲୋକସେବା ଭବନରେ ଆୟୋଜିତ ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ମଧ୍ୟ ଉପସ୍ଥିତ ରହିଥିଲେ । ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏନେଇ କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରି କାମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ବୈଠକ ପରେ କୃଷି ସଚିବ ତଥା କମିସନର ଏସ କେ ବଶିଷ୍ଟ କହିଛନ୍ତି, ୧୫ଟି ଜିଲାର ୩୦ଟି ବ୍ଲକରେ ସ୍ୱାଭାବିକ ଠୁ କମ୍ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଯେଉଁଠି କମ୍ ବର୍ଷା ହୋଇଛି ସେଠି ଉଠା ଜଳସେଚନ ପଏଣ୍ଟକୁ ସକ୍ରିୟ କରାଯିବ। ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ କରାଯିବ ଏବଂ ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ। ସୂଚନା ଯେ, ସ୍ୱଳ୍ପ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି। ସେହିପରି ଆହୁରି ୨୦ ଜିଲ୍ଲାରେ ମଧ୍ୟ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ପାଣି ଅଭାବ ଯୋଗୁଁ ବିଲକୁ କିପରି ବିକଳ୍ପ ଉପାୟରେ ପାଣି ମିଳିପାରିବ, ସେ ଦିଗରେ ଆଜିର ବୈଠକରେ ଆଲୋଚନା ହୋଇଛି । ଅନ୍ୟପଟେ ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ ଓୟୁଏଟିକୁ କୃଷି ବିଭାଗ ଆଗୁଆ ନିର୍ଦ୍ଦେଶ ଦେଇଛି।