ୟୁଜବେନ୍ଦ୍ର ଚହଲଙ୍କ ପାଇଁ ରେକର୍ଡ ଅପେକ୍ଷାର ଦିନ, ୪ଟି ଓ୍ବିକେଟ୍ ନେଲେ ଶୀର୍ଷରେ ପହଞ୍ଚିବେ
ମୁମ୍ୱାଇ : ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଟି-୨୦ର ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ଆଜି ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପାଇଁ ରେକର୍ଡ ଅପେକ୍ଷାର ଦିନ। ୪ଟି ଓ୍ବିକେଟ୍ ହାସଲ କଲେ ଶୀର୍ଷରେ ପହଞ୍ଚିବାର ସୁଯୋଗ ତାଙ୍କ ନିକଟରେ ରହିଛି ।
ନୂଆ ବର୍ଷରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ଚହଲ। ମଙ୍ଗଳବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ୪ଟି ଓ୍ବିକେଟ୍ ନେଲେ ଟିମ୍ ଇଣ୍ଡିଆର ସର୍ବାଧିକ ଓ୍ବିକେଟ୍ ହାସଲକାରୀ ଖେଳାଳି ହେବେ । ବର୍ତ୍ତମାନ ୟୁଜବେନ୍ଦ୍ର ଚହଲ ନାଁରେ ୮୭ଟି ଓ୍ବିକେଟ୍ ରହିଛି । ୪ଟି ଓ୍ବିକେଟ୍ ନେଲେ ଭୁବନେଶ୍ବର କୁମାରଙ୍କୁ ପଛରେ ଶୀର୍ଷ ସ୍ଥାନ ଅଧିକାର କରିବେ ଚହଲ । ସେହିପରି ଶ୍ରୀଲଙ୍କାର କୁଶଲ ମେଣ୍ଡିସ୍ ୧୩ତମ ଶ୍ରୀଲଙ୍କା ଖେଳାଳି ଭାବେ ୫୦ଟି-ଟ୍ୱେଣ୍ଟି ପୂରଣ କରିବେ ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ । ମଙ୍ଗଳବାର ଓ୍ବାଙ୍ଖେଡେ ଷ୍ଟାଡ଼ିୟମରେ ସଂଧ୍ୟା ୭ଟାରେ ପ୍ରଥମ ଟି-୨୦ ଖେଳାଯିବ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଭାରତ ଏକ ଯୁବ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ଓ ସୂର୍ଯ୍ୟକୁମାର ଯାଦବ ଉପ-ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଶୁଭମନ ଗିଲ ଏବଂ ଶିଭମ ମାଭି ଆଜି ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିବେ । ଗିଲଙ୍କ ଏହା ତୃତୀୟ ଫର୍ମାଟ୍ ଡେବ୍ୟୁ ହୋଇଥିବା ବେଳେ ମାଭିଙ୍କ ପାଇଁ ଏହା ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କା ଅଧିନାୟକ ଦଶୁନ ଶନାକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଉଭୟ ଭାରତ ଏବଂ ଶ୍ରୀଲଙ୍କା ଟିମ ନୂଆବର୍ଷର ଯାତ୍ରା ପ୍ରଥମ ମ୍ୟାଚର ବିଜୟରୁ ଆରମ୍ଭ କରିବାକୁ ଚାହିଁବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟ ରଖିଛି ।