“ମାଟଲାବ୍ ଫର୍ ବିଗ୍ନେର୍ସ୍” ଶୀର୍ଷକ ଜାତୀୟ କର୍ମଶାଳା ଉଦ୍ଯାପିତ
ବାଲେଶ୍ୱର : ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା “ମାଟଲାବ୍ ଫର୍ ବିଗ୍ନେର୍ସ୍” ଶୀର୍ଷକ ପଞ୍ଚଦିବସୀୟ ଜାତୀୟ କର୍ମଶାଳା ଉଦଯାପିତ ହୋଇଯାଇଛି । ମାଟଲାବ୍ ହେଉଛି ଏକ କମ୍ପ୍ୟୁଟର ପ୍ରଗ୍ରାମିଂ ସଫ୍ଟୱେର୍ , ଯାହାକୁ ବ୍ୟବହାର କରି ଅତି ବୃହତ୍ତର ଡାଟା ବା ତଥ୍ୟାବଳୀକୁ ସୁଦ୍ଧା ଅନାୟାସରେ ବିଶ୍ଳେଷଣ କରାଯାଇ ସମାଜର ଉନ୍ନତିକରଣ ଦିଗରେ ବ୍ୟବହାର କରାଯାଇ ପାରିବ । ବିଶେଷତଃ ଏହା କମ୍ପୁଟର୍ ସାଇନ୍ସ୍, ଗଣିତ, ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି, ଭୂଗୋଳ, ଭୂତତ୍ୱ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଅର୍ଥନୀତି ଆଦି ବିଷୟର ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ସମେତ ଇଂଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ବିଷୟ । ସାମ୍ପ୍ରତିକ ସମୟରେ ଏହାର ଗୁରୁତ୍ୱକୁ ବୁଝି ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରୁ ପ୍ରାୟ ୩୦ ରୁ ଊର୍ଦ୍ଧ୍ୱ ଗବେଷକ, ବିଦ୍ୟାର୍ଥୀ ଓ ଅଧ୍ୟାପକ ଅଧ୍ୟାପିକା ନାମପଞ୍ଜିକରଣ କରି ଅଂଶଗ୍ରହଣ କରିଥିଲେ ।
ଏଚ୍ ଆର୍ ଡି ସି ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାର ଉଦଯାପନୀ ଅଧିବେଶନ ଅବସରରେ ଆଜିର ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଆମେ ଯୁଗୀୟ ବିଶେଷତ୍ୱ ଅନୁସାରୀ ବିଦ୍ୟା ଓ ଶିକ୍ଷା ସହିତ ପରିଚିତ ଓ ଅଭ୍ୟସ୍ତ ହୋଇ ନ ପାରିଲେ ପଛୁଆ ହୋଇ ରହିଯିବା, ଯାହାଦ୍ୱାରା ବ୍ୟକ୍ତିଗତ ସ୍ୱାର୍ଥ ବାଧାପ୍ରାପ୍ତ ହେବା ସହିତ ସମୂହସ୍ୱାର୍ଥ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜର ବାର୍ତ୍ତା ଦେବା ସହିତ ନୂଆନୂଆ ଜ୍ଞାନକୌଶଳ ସହିତ ଗବେଷକ ଓ ବିଦ୍ୟାର୍ଥୀଙ୍କୁ ପରିଚିତ କରାଇ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ପାରଦର୍ଶୀ କରାଇବା ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ସର୍ବଦା ପ୍ରୟାସ କରିଆସିଛି ବୋଲି ସୂଚନା ପ୍ରଦାନ କରିଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି ଜାତୀୟ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ବର୍ତ୍ତମାନ ସମୟରେ ମାଟଲାବ୍ ପରି ସଫ୍ଟୱେୟାର୍ ର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ ଏବଂ ‘ମାଟଲାବ୍’ ର ବ୍ୟବହାର ତଥା ପ୍ରୟୋଗ ଅନେକ ପ୍ରକାରର ଜଟିଳ ତଥ୍ୟସମୂହର ବିଶ୍ଲେଷଣକୁ ସହଜ ଭାବରେ ପ୍ରସ୍ତୁତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି, ତେଣୁ ଏହି ସଫ୍ଟୱେୟାର୍ ସମ୍ପର୍କରେ ସମସ୍ତେ ଜାଣିବା ଉଚିତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ରାଉରକେଲା ସ୍ଥିତ ଏନ୍ ଆଇ ଟି (ନିଟ୍ )ରୁ ସନ୍ତୋଷ କୁମାର ପଣ୍ଡା ବିଷୟ ବିଶାରଦ ତଥା ଅତିଥି ଭାବରେ ଯୋଗ ଦେଇ ମେସିନ୍ ଲର୍ଣ୍ଣିଙ୍ଗ୍ ର ଗୁରୁତ୍ୱ ଓ ପ୍ରାସଙ୍ଗିକତା ବିଷୟରେ ଚର୍ଚ୍ଚା କରିଥିଲେ । ପ୍ରାରମ୍ଭରେ ଏଚ୍ଆର୍ଡିସିର ଉପନିର୍ଦ୍ଦେଶକ ଡ. ଦେବଦତ୍ତ ଦାସ ଅତିଥି ଏହି ପଞ୍ଚଦିବସୀୟ କର୍ମଶାଳାର ବିବରଣୀ ପାଠ କରିଥିଲେ । ଏହି କ୍ରମରେ ଡ. ଅସୀମ ଅମିତାଭ ପ୍ରଧାନ, ଡ. ପ୍ରହ୍ଲାଦ ଖିଲା ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପକ ଅରୁଣ କୁମାର ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅଂଶଗ୍ରହଣକାରୀମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ନିଜନିଜର ଅନୁଭୂତି ଉପସ୍ଥାପନ କରି ଏହା ସେମାନଙ୍କୁ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ ।