ଓଷ୍ଟା ବାଲେଶ୍ୱର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବାଲେଶ୍ୱର ତରଫରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ କ୍ଷେତ୍ରରେ ଅହେତୁକ ବିଳମ୍ବ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
୧.୧.୨୦୨୨ରୁ ସପ୍ତମ ବେତନ ଅନୁସାରେ ଦରମା ପ୍ରଦାନ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପ୍ରଦାନ କରାଯାଉ ନାହିଁ । ବରଂ ପଦ୍ଧତି ନିର୍ଦ୍ଧାରଣ ଆଳରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀମାନଙ୍କୁ ହତାଶ ଓ ନିରାଶ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲା ଶିକ୍ଷାଧିକାରୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହିତ ୬ଷ୍ଠ ବେତନରେ ୬୦%, ୭୫% ପାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଅନୁପାତ ଭିତ୍ତିକ ଭାବେ ସପ୍ତମ ବେତନ ପ୍ରଦାନର ବ୍ୟବସ୍ଥା ଏବଂ ଯେଉଁ ବିଦ୍ୟାଳୟଗୁଡ଼ିକ ୧.୧.୨୦୨୨ରେ ୧୦୦% ଅନୁଦାନ ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ସାମିଲ୍ କରିବା ସହିତ ଏହି ବିଦ୍ୟାଳୟଗୁଡ଼ିକରେ ସପ୍ତମ ବେତନ ନିର୍ଦ୍ଧାରଣ ବେଳେ ଗ୍ରେଡ୍ ପେ ୧୭୦୦/- ରେ ପ୍ରଦାନ କରିବା ପ୍ରମୁଖ ଦାବି ପ୍ରତି ତୁରନ୍ତ ବିଚାର କରି ଅବିକଳ ସପ୍ତମ ବେତନ ପ୍ରଦାନ ପାଇଁ ସ୍ମାରକପତ୍ରରେ ଦାବି କରାଯାଇଥିଲା । ଓଷ୍ଟା ବାଲେଶ୍ୱର ଶାଖା ସଭାପତି ବାଦଲ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶିକ୍ଷକନେତା ଜଗବନ୍ଧୁ ପଣ୍ଡା, ଟି. ରାଜଲକ୍ଷ୍ମୀ, ନିରଞ୍ଜନ ଦାସ, ନବକିଶୋର ବାରିକ, ଶ୍ରୀପତି ଚରଣ ପାତ୍ର, ପ୍ରମୋଦ କୁମାର ସାହୁ, ବିଜୟ କୁମାର ପାତ୍ର, ଲକ୍ଷ୍ମୀଧର ମୁଦୁଲୀ, ବୈକୁଣ୍ଠ ପୁଥାଳ, ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ମାନସ କୁମାର ସ୍ୱାଇଁ, ଶିବଶଙ୍କର ମିଶ୍ରଙ୍କ ସମେତ ଅନେକ ଶିକ୍ଷକନେତା ଉପସ୍ଥିତ ରହି ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।