ଆଲୋଚନା ମଧ୍ୟରେ ସରିଲା ଔପଦା ପଞ୍ଚାୟତ ସମିତି ବୈଠକ
ଔପଦା : ଔପଦା ପଞ୍ଚାୟତ ସମିତି ବୈଠକ ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା ମଧ୍ୟରେ ଶେଷ ହୋଇଛି । ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଓ ଜିଲାପରିଷଦଙ୍କ ପ୍ରଶ୍ନର ଉତ୍ତର ବିଡିଓ ଅଭିଷେକ ଦାଶ ଦେଇଥିଲେ । ଔପଦା ବ୍ଲକର ଭୌଗୋଳିକ ସ୍ଥିତି ବିଚିତ୍ର ହୋଇଥିବାରୁ ବ୍ଲକର ଥିବା ୧୧ ଗୋଟି ପଞ୍ଚାୟତ ମଧ୍ୟରୁ ୫ଟି ପଞ୍ଚାୟତର ଥାନା, ତହସିଲ, ଜଙ୍ଗଲ ଓ ବିଦ୍ୟୁତ୍ ବିଭାଗ ନୀଳଗିରିରେ ରହୁଛି । ଏହି ସବୁ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବସୁଥିବା ବୈଠକରେ ଆପତ୍ତି ଅଭିଯୋଗ କଲେ ଅଧିକାରୀ ମାନେ ଅନୁପସ୍ଥିତ ରହୁଥିବାରୁ ଉତ୍ତର ନମିଳିବାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସରପଞ୍ଚ ନିରଞ୍ଜନ ବାରିକ ଓ ପୁରସ୍ତମ ସେଠୀ ଗୋଟିଏ ବ୍ଲକ ଓ କେତେକ ପଞ୍ଚାୟତରେ ଥାନା, ତହସିଲ ଅଲଗା ଥିବାରୁ ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ପାଇଁ ଏହି ସମସ୍ୟା ପାଇଁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ କରାଯାଇ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ଦାବି କରିଥିଲେ ।
ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ, ଓ କଣ୍ଟାବଣିଆରେ ଜମି ଚିହ୍ନଟ ହୋଇନପାରିବାରୁ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ହୋଇପାରୁ ନାହିଁ ବୋଲି ଆଲୋଚନା ହୋଇଥିଲା । ମୁଖ୍ୟତଃ ପାନୀୟ ଜଳ ପ୍ରକଳ୍ପ ସଚଳ ନଥାଇ ବିଦ୍ୟୁତ୍ ବିଲ ଆସିବା ଡିଲ୍ ସମ୍ପର୍କରେ ସ୍ଥାନୀୟ ସରପଞ୍ଚମାନେ ଜାଣିନପାରିବାକୁ ନେଇ ଆଲୋଚନା କରାଯାଇଥିଲା । ବ୍ଲକକୁ ଆସୁଥିବା ସରାକରଙ୍କ ଉନ୍ନୟନ ମୂଳକ ଯୋଜନାର କାମ କରିବା ପାଇଁ ପ୍ରତିଯୋଗୀତା ଆରମ୍ଭ ହେଉଥିବାରୁ ଅଧିକାଂଶ ସମୟରେ ବିବାଦ ଦେଖାଦେଉଥିବା ବେଳେ ଏଥିପାଇଁ ପଲ୍ଲୀସଭା କରାଯାଇ କାମ ହେଉ ବୋଲି ମତ ପ୍ରକାଶ ପାଇଥିଲା । ବୈଠକରେ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସଭା ଗୃହରେ ବସିବା ପାଇଁ ଆସନ ନଥିବାରୁ କେତେକ ବିଭାଗୀୟ ଅଧିକାରୀ ବାହାରେ ଅପେକ୍ଷା କରି ଫେରିଥିବା ଜଣାଯାଇଛି । ବୈଠକରେ ବ୍ଲକ ଉପାଧ୍ୟକ୍ଷ ପ୍ରଭାକର ସାହୁ, ଜିଲା ପରିଷଦ ସଭ୍ୟ ମୁନି ସିଂ, ଉଷାରାଣୀ ରାଉଳ, ତହସିଲଦାର ଶରତ କୁମାର ମଲ୍ଲିକ, ବିଧାୟକ ପ୍ରତିନିଧି ନିରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିପିଓ ଜିତେନ୍ଦ୍ର ସାମଲ ପୂର୍ବ ବିବରଣୀ ପାଠ କରିଥିଲେ । ବୈଠକ ଶେଷରେ ପୂର୍ବରୁ ଡକାଯାଇଥିବା ବୈଠକକୁ ସଭ୍ୟାସଭ୍ୟଙ୍କ ସହିତ ଆଲୋଚନା ନକରି ବନ୍ଦ କରାଯିବାକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।