ପୁଲୱାମାରେ ପୋଲିସ୍ ଗାଡ଼ି ଉପରେ ଗ୍ରେନେଡ ମାଡ଼, ତିନି ଆହତ

ଶ୍ରୀନଗର : ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ଆତଙ୍କବାଦୀମାନେ ପୋଲିସ ଗାଡ଼ିକୁ ଲକ୍ଷ୍ୟକରି ଗ୍ରେନେଡ ମାଡ଼ କରିଛନ୍ତି । ଏହି ଆକ୍ରମଣରେ ତିନି ସ୍ଥାନୀୟ ଲୋକ ଆହତ ହୋଇଛନ୍ତି ।
ମଙ୍ଗଳବାର ମଧ୍ୟାହ୍ନରେ ପୁଲୱାମା ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଶହୀଦ ପାର୍କ ପାଖରେ ଆତଙ୍କବାଦୀମାନେ ପୋଲିସ ଗାଡ଼ିକୁ ଲକ୍ଷ୍ୟ କରି ଗ୍ରେନେଡ ଫୋପାଡ଼ିଥିଲେ । ଆତଙ୍କବାଦୀମାନଙ୍କ ଲକ୍ଷ୍ୟ ନଷ୍ଟ ହେବାରୁ ଗ୍ରେନେଡ ସଡ଼କରେ ପଡ଼ି ଫାଟି ଯାଇଥିଲା । ଏହି ଗ୍ରେନେଡ ମାଡ଼ ସମୟରେ ସେ ସ୍ଥାନରେ ଥିବା ତିନି ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ନିକଟ ହସ୍ପିଟାଲ ନିଆଯାଇଥିଲା । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ବିହାର ନିବାସୀ ଜିତେନ୍ଦ୍ର କୁମାର ଏବଂ ଡାଲୀପୋରା ପୁଲୱାମା ନିବାସୀ ଅଜହର ଖୁର୍ଶୀଦ ବୋଲି ଜଣାଯାଇଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଆକ୍ରମଣ ପରେ ପରେ ସୁରକ୍ଷାକର୍ମୀ ସେ ସ୍ଥାନରେ ପହଂଚିଯାଇ ସମସ୍ତ ଅଂଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି ।