ହକି ବିଶ୍ୱକପ ଟ୍ରଫିକୁ ଦେବଗଡ଼ରେ ଭବ୍ୟ ସ୍ୱାଗତ
ଦେବଗଡ଼ : ଦେବଗଡ଼ ଜିଲାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ବୁଧବାର ରାତିରେ ଟ୍ରଫି ଦେବଗଡ଼ରେ ପହଞ୍ଚିଥିଲା । ଦେବଗଡ଼ ଜିଲା ସୀମା ନିକଟରୁ ପ୍ରଶାସନ ପକ୍ଷରୁ ଉପଜିଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ ବୃନ୍ଦ ଟ୍ରଫିକୁ ପାଛୋଟି ଆଣିଥିଲେ ।
ଗୁରୁବାର ସକାଳ ୬ଟା ସମୟରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରୁ ‘ରନ ଫର ହକି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେବଗଡ଼ ଏସପି ପ୍ରମୋଦ କୁମାର ରଥ ମାରଥନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ସହସ୍ରାଧିକ ଖଳାଳି, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ସାମିଲ ହୋଇ ଷ୍ଟାଡିୟମରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ଆଇ ଲଭ ଦେବଗଡ଼’ ପଏଣ୍ଟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଟ୍ରଫିକୁ ଗ୍ରହଣ କରିଥିଲେ । ସେଠାରୁ ଏକ ବିରାଟ ପଟୁଆରରେ ଟ୍ରଫିକୁ ବସଷ୍ଟାଣ୍ଡ ଛକ, ପୁରୁଣା ଟ୍ରାଫିକ, ଗୋପବନ୍ଧୁ ଛକ, ଷ୍ଟେଟବ୍ୟାଙ୍କ, ହାତିଶାଳ ଓ ଓଲଟ ବର ଛକ ଦେଇ ଷ୍ଟାଡିୟମରେ ପହଞ୍ଚିଥିଲା । ଟ୍ରଫିକୁ ଅଣାଯିବା ସମୟରେ ପୁଲିସ ବ୍ୟାଣ୍ଡ ଓ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଘୋଷ ସହ ଏନସିସି, ସ୍କାଉଟ, ଗାଇଡ କ୍ୟାଡେଟ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, କଳାକାର, ଖେଳାଳି, ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ, ସରକାରୀ ଅଧିକାରୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ଯାଉଥିବାବେଳେ ପୋଷ୍ଟ ଅଫିସ ଛକ, ଘରୋଇ ବଷ୍ଟାଣ୍ଡରେ ବସ ମାଲିକ ସଂଘ, ରାଜବାଟି ସମ୍ମୁଖରେ ରାଜ ପରିବାର, ପୁରୁଣା ପୋଷ୍ଟ ଅଫିସ ଛକରେ ବାମଣ୍ଡା କ୍ରିକେଟ କ୍ଲବ, ଗୋପବନ୍ଧୁ ଛକରେ ରାଜା ବାସୁଦେବ ହାଇସ୍କୁଲ ୧୯୮୯ ବ୍ୟାଚ ଛାତ୍ରଙ୍କ ସମେତ ଲାୟନ୍ସ କ୍ଲବ ଓ ଜାଗରଣ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ଟ୍ରଫିକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଷ୍ଟାଡିୟମରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଅତିରିକ୍ତ ଜିଲାପାଳ ରେବିକା ବିଲୁଙ୍ଗ, ଡିଏଫଓ ମଗର ଧାନାଜି ରାଓସ, ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଓ ତିଳେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଉପ-ଜିଲାପାଳ ବ୍ରଜ ବନ୍ଧୁ ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନେ ସାମିଲ ଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ହକି ଓ କ୍ରୀଡ଼ାରେ ସଫଳତା ଅର୍ଜନ କରିଥିବା ଜିଲାର କ୍ରୀଡ଼ାବିତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଜାତୀୟ ପତାକାକୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧରି ଶୋଭାଯାତ୍ରାରେ ସାମିଲ ହୋଇ ଅଭିନବ ଶୈଳୀରେ ସ୍ୱାଗତ କରିଥିଲେ । ଷ୍ଟାଡିୟମରେ ହଜାର ହଜାର ଜନସାଧାରଣ ରୁଣ୍ଡ ହୋଇ ଟ୍ରଫିକୁ ସ୍ୱାଗତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀ ସମ୍ବିତ କୁମାର ଗଡ଼ନାଏକ ଓ ଶାଶ୍ୱତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆସିଥିବା ଟ୍ରଫିକୁ ଷ୍ଟାଡିୟମରୁ ଦେବଗଡ଼ର ପରିଚୟ ତଥା ଗର୍ବ ଓ ଗୌରବ ପ୍ରଧାନପାଟ ଜଳପ୍ରପାତକୁ ନିଆଯାଇ ଫୋଟ ସୁଟ କରାଯାଇଥିଲା ।