ଉତ୍କଳ ସମ୍ମିଳନୀ ବାଲେଶ୍ୱର ଜିଲା ଶାଖା ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସାଧାରଣ ସଭା ଅନୁଷ୍ଠିତ
ବାଲେଶ୍ୱର : ଉତ୍କଳ ସମ୍ମିଳନୀ ବାଲେଶ୍ୱର ଜିଲା ଶାଖା ପକ୍ଷରୁ ୮୮ତମ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁଣ୍ୟତିଥିକୁ ପାଳନ କରାଯାଇ ସହରର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଓଡ଼ିଆ ଜାତୀୟତାର ଅଭ୍ୟୁଦୟ, ବିକାଶ ସହ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଅତୀତ ଇତିହାସକୁ ରୋମନ୍ଥନ କରି ସମୃଦ୍ଧ ଓଡ଼ିଶା ନିର୍ମାଣରେ ପ୍ରତିଟି ଓଡ଼ିଆଙ୍କ ଜାତୀୟ କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରାଯାଉଥିଲା ।
ଉତ୍କଳସମ୍ମିଳନୀ ବାଲେଶ୍ୱର ଜିଲା ଶାଖାର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ସ୍ମୃତି ଦିବସ ସମାରୋହରେ ଶାଖାର ସଂପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା ମଧୁବାବୁଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠନରେ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଜାତିପ୍ରାଣ ମହାରାଜା ବୈକୁଣ୍ଠନାଥ ଦେବ ପ୍ରଭୃତି ବାଲେଶ୍ୱର ମାଟିର ବରପୁତ୍ରଙ୍କ ସମେତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, କୃଷ୍ଣ ଗଜପତିଙ୍କ ସମେତ ସେତେବେଳର ଓଡ଼ିଶାର ସମସ୍ତ ରାଜନ୍ୟବର୍ଗଙ୍କ ସହଯୋଗରେ ଆମର ସ୍ୱାଭିମାନର ପରିଚୟ ଲାଭ କରାଇଥିବାରୁ ସେହି ବରପୁତ୍ରମାନଙ୍କୁ ସ୍ମରଣ କରିବା ଆଜିର ଦିନରେ ପ୍ରତିଟି ଓଡ଼ିଆଙ୍କ ନୈତିକ କର୍ତ୍ତବ୍ୟ ବୋଲି କହିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାଶ, ଡ. ରମାକାନ୍ତ ବେହେରା, ସୁଜିତ ଦେବ, ଅନସୂୟା ନାୟକ, ଦୀନବନ୍ଧୁ ଲେଙ୍କା, ସୃଷ୍ଟିଧର ପରିଡ଼ା, ଡ. କ୍ଷିତୀଶ୍ୱର ଦାଶ, ବିଧାନ ଚନ୍ଦ୍ର ରାୟ, ରମେଶ ଚନ୍ଦ୍ର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ସଭାରେ ଓ ମାଲ୍ୟାର୍ପଣରେ ଯୋଗଦେଇଥିଲେ ନିରଞ୍ଜନ ରାଉତ, କବି ଉତ୍ପଳ କୁମାର ମହାନ୍ତି, ସୁଦର୍ଶନ ଜେନା, ଗୌରାଙ୍ଗ ପାଣିଗ୍ରାହୀ, ଦାମୋଦର ନାୟକ, ପ୍ରଫୁଲ୍ଲ କୁମାର ଦାସ, କମଳାକାନ୍ତ ନାୟକ, ରତ୍ନାକର ଦାସ, ବେଣୁଧର ସାହୁ, କମଳାକାନ୍ତ ଦାଶ, ପ୍ରଦୀପ କୁମାର ମିଶ୍ର, ସୁଧାକର ସେଠୀ, ଏମ୍.ଏନ୍. ଲିପ୍ସା, ବିଜୟ ପାଣିଗ୍ରାହୀ, ବ୍ରଜକିଶୋର ପ୍ରଧାନ, ଜ୍ୟୋତିର୍ମୟୀ ଶତପଥୀ, ସୀତାରାମ ପ୍ରଧାନ, ରାମଚନ୍ଦ୍ର ସାହୁ, ସୁଧାଂଶୁ ଶେଖର ଦାସ, ପଦ୍ମଲୋଚନ ଦତ୍ତଙ୍କ ସହ ବାଲେଶ୍ୱର ଜିଲା ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଫକୀରମୋହନ ଗୋଲେଇ, କଚେରିହତା, ଗଡ଼ଗଡ଼ିଆ ଘାଟ, ଟାଉନହଲ୍ ପରିସରରେ ଥିବା ମଧୁସୂଦନ, ଫକୀରମୋହନ, ଗୋପବନ୍ଧୁ, ରାଧାନାଥ ଓ ବୈକୁଣ୍ଠ ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସମବେତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଥିଲା । ଶେଷରେ ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।