ନନ୍ଦନକାନନରେ ଜନ୍ମନେଲା ଜଳହସ୍ତୀ ଶାବକ, ୧୨କୁ ବୃଦ୍ଧି ପାଇଲା ସଂଖ୍ୟା
ବାରଙ୍ଗ : ନନ୍ଦନକାନନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁଆଡ ନଂ ୬୩ରେ ରହୁଥିବା ମାଇ ଜଳହସ୍ତୀ ଶନିବାର ଏକ ଶାବକ ଜନ୍ମ ଦେଇଛି । ଯାହା ଫଳରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ଟି ପୁରୁଷ, ୬ଟି ମାଈ ଏବଂ ଗୋଟିଏ ନବଜାତକ ଶାବକ ରହିଛି ।
ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଲାଗି ରହିଥିବା ଜଳ ହସ୍ତି ପୁଷ୍କରଣୀରେ, ଜଳହସ୍ତୀଙ୍କ ବଂଶ ଆଶା ଜନକ ଭାବେ ବୃଦ୍ଧି ପାଉଛି । ଯାହା ଫଳରେ ଗତ କିଛି ବର୍ଷ ହେଲା ଏଠାରୁ କ୍ରମାଗତ ଭାବେ ଜଳ ହସ୍ତି ଅନ୍ୟତ୍ର ଦିଆଯାଇ ବିଭିନ୍ନ ଜୀବଜନ୍ତୁ ଅଣାଯାଇଛି । ଗତ ୨୦୧୪ ମସିହାରେ ପାଟନା ଚିଡିଆଖାନା ୨ଟି , ୨୦୧୮ ମସିହାରେ ରାୟପୁର ଚିଡିଆଖାନା ୨ଟି, ଏହାପରେ ଗତ ୨୦୧୯ ମସିହାରେ ଇନ୍ଦୋର ଚିଡିଆଖାନାକୁ ୨ଟି ଲେଖାଏଁ ଜଳହସ୍ତୀ ଦିଆଯାଇ ସେଠାରୁ ବିଭିନ୍ନ ଜୀବଜନ୍ତୁ, ନନ୍ଦନକାନନକୁ ଅଣାଯାଇ ପାରିଛି ।