ବାଲେଶ୍ୱର : ପୋଲରୁ ଖସି ୮ବର୍ଷର ଶିଶୁପୁତ୍ର ମୃତ, ରାସ୍ତା ଅବରୋଧ
ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗାଁରେ ଆଜି ଏକ ଶିଶୁପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ସୂଚନା ମୁତାବକ ବଣପାରିଆ ଗାଁର ରମେଶ ପଣ୍ଡାଙ୍କ ୮ବର୍ଷର ଶିଶୁପୁତ୍ର ଧନଞ୍ଜୟ ପଣ୍ଡାଙ୍କ ନାଳରେ ପଡ଼ି ମୃତ୍ୟୁ ହୋଇଛି। ଆଜି ଧନଞ୍ଜୟ ଖଇରା ଥାନା ଅଧୀନ କଣ୍ଟାପଡା ଶାସନର ତାଙ୍କର ମାମୁଁଘରକୁ ଦୁଇଜଣ ସାଙ୍ଗ ସହିତ ଯାଉଥିଲେ। ଆଉ ଯିବା ସମୟରେ ବଟେଶ୍ୱର-ଗନ୍ଧାଳି ରାସ୍ତାରେ ଥବା ଏକ ବାଡ ବିହୀନ ପୋଲରୁ ଅସାବଧାନତାବଶତଃ ତଳକୁ ଖସିପଡିଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣା ବିଷୟରେ ଜାଣି ଧନଞ୍ଜୟକୁ ଉଦ୍ଧାର କରି ଖଇରା ମେଡିକାଲକୁ ନେଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ବଟେଶ୍ୱର-ଗନ୍ଧାଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଏବଂ ରାସ୍ତାରେ ଥିବା ପୋଲରେ ବାଡ଼ ନଥିବା ଯୋଗୁଁ ପୋଲରୁ ଖସିପଡି ଧନଞ୍ଜୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଏହା ସହିତ ତୁରନ୍ତ ରାସ୍ତା ମରାମତି ଏବଂ ପୋଲରେ ବାଡ ନିର୍ମାଣ ଦାବିରେ ସୋର-କୁପାରୀ ରାଜ୍ୟ ରାଜପଥର ବାଟେଶ୍ବର ଛକ ନିକଟରେ ଶତାଧିକ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି |