ଅସ୍ଥାୟୀ ପାଣିକୁଣ୍ଡରେ ପଡ଼ି ୫ବର୍ଷୀୟ ନାବାଳକ ମୃତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବେଗୁନିଆ ଗ୍ରାମରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିବା ବେଳେ କମ୍ପାନୀ ପକ୍ଷରୁ ନିର୍ମିତ ୧୦ ଫୁଟ୍ ଗଭୀର ଅସ୍ଥାୟୀ ପାଣି କୁଣ୍ଡରେ ଗୁରୁବାର ଜଣେ ୫ ବର୍ଷର ନାବାଳକ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସେଠାରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ସୂଚନା ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୧୭୨କୋଟି ଟଙ୍କାର ବିନିଯୋଗରେ ମେଗା ଜଳଯୋଗାଣ ପ୍ରକଳ୍ପ ଜୁବେରୀ ଇଞ୍ଜିନିୟରିଂ କନ୍ଷ୍ଟ୍ରକଶନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ପ୍ରକଳ୍ପ ଚାଲୁ ରହିଥିବା ବେଳେ ଏହାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତଦାରଖ କରୁଛି । ଏହି ପ୍ରକଳ୍ପ ନୀଳଗିରି ବ୍ଲକର ୨୦ ପଞ୍ଚାୟତ ସହ ୯୦ ଗାଁରେ କାର୍ଯ୍ୟ ଜାରି ରହିଛି । ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ବେଗୁନିଆ ଗ୍ରାମରେ ମଧ୍ୟ ପାଣିଟାଙ୍କି କାର୍ଯ୍ୟ ଚାଲୁରହିଥିବା ବେଳେ ନିକଟରେ ଏକ ଖୋଲା ପାଣି କୁଣ୍ଡ ମଧ୍ୟ ରହିଥିଲା । ଗୁରୁବାର ପୂର୍ବାହ୍ନ ୬ଟା ସମୟରେ ଉକ୍ତ ଗ୍ରାମର ଗୋବିନ୍ଦ ସିଂଙ୍କ ପୁତ୍ର କିରଣ (୫) ପରିବାର ଲୋକ ଘର କାମରେ ବ୍ୟସ୍ତ ଥିବାବେଳେ ଘରୁ ବାହାରକୁ ବାହାରି ଅଜାଣତରେ ପାଣି କୁଣ୍ଡରେ ପଡ଼ି ଯାଇଥିଲେ । ପରିବାର ଲୋକେ ନାବାଳକକୁ ନପାଇ ଖୋଜାଖୋଜି କରିବା ପରେ ନାବାଳକ କିରଣକୁ ଉକ୍ତ ପାଣି କୁଣ୍ଡରୁ ଭାସମାନ ଅବସ୍ଥାରେ ଉଦ୍ଧାର କରିଥିଲେ । ହେଲେ କିରଣଙ୍କର ସେହି ସମୟରେ ମୃତ୍ୟୁ ଘଟିଥିଲା । ଖବର ପ୍ରଚାରିତ ହେବା ପରେ ଉକ୍ତ ଘଟଣାକୁ ନେଇ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ କ୍ଷତି ପୂରଣ ଦାବୀରେ ଅଡ଼ି ବସିଥିଲେ । ଖବରପାଇ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ କରିବା ସହ ପରିବାର ଲୋକ ଓ ପୋଲିସ ନୀଳଗିରି ମେଡ଼ିକାଲକୁ ଆସି ଶବ ବେବଛେଦ କରିବାକୁ ପରିବାରର ଲୋକଙ୍କୁ ଅନୁମତି ଦେଇଥିଲେ ।