କୂଅରେ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ
ମୋରଡ଼ା : ମୟୂରଭଞ୍ଜର ମୋରଡା ବ୍ଲକ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳ ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଅଘଟଣ । ଖେଳୁ ଖେଳୁ ହଠାତ ଘର ପାଖରେ ଥିବା ଏକ କୂଅ ଭିତରେ ପଡିଗଲା ୩ ବର୍ଷର ଶିଶୁପୁତ୍ର । ହେଲେ ପରିବାର ଲୋକେ ତାଙ୍କ ଛୋଟ ପୁଅକୁ ବହୁତ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। ସେତେବେଳକୁ କୂଅ ଭିତରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ଗାଁର ଶଙ୍କର ଭକ୍ତାଙ୍କ ପୁଅ କିବନ (ଗଙ୍ଗା) ଭକ୍ତା ଆଜି ଘର ବାହାରେ ଖେଳିବା ବେଳେ ଘର ପାଖ ଏକ ପାଣି ଭର୍ତ୍ତି ଥିବା କୂଅରେ ପଡିଯାଇଥିଲା। ତେବେ ପୁଅକୁ ପରିବାର ଲୋକେ ଖୋଜିବା ବେଳକୁ ପୁଅ ଆଉ ମିଳିନଥିଲା।
ପରେ ପରିବାର ଲୋକେ କୂଅ ଭିତରେ ପିଲାଟି ପଡିଯାଇଥିବା ସନ୍ଦେହ କରିଥିଲେ। କିନ୍ତୁ କୂଅରେ ପାଣି ଭର୍ତି ଥିବାରୁ ଲୋକେ ସଙ୍ଗେ ସଙ୍ଗେ ଚିତ୍ରଡା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ ଅଚେତ ଅବସ୍ଥାରେ କୂଅରୁ ଉଦ୍ଧାର କରିଥିଲେ। ପରେ ସଙ୍ଗେସଙ୍ଗେ ପିଲାଟିକୁ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶିଶୁର ମୃତ୍ୟୁ ହୋଇଥିବା ଜାଣି ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ମୋରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।