ରୋଷେଇ ଘରେ କରୁଥିଲା ଗର୍ଜନ, ଉଦ୍ଧାର ହେଲା ୧୨ ଫୁଟ ଲମ୍ବର ଅହିରାଜ
ନୀଳଗିରି : ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ରୋଷେଇ ଘରୁ ବାହାରିଲା ୧୨ ଫୁଟିଆ ଅହିରାଜ ସାପ । ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ନିକଟରେ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ସାପଟି ବଡ଼ ହୋଇଥିବାରୁ ଏହାକୁ ଦେଖିବାକୁ ସେଠାରେ ଲୋକାରଣ୍ୟ ହୋଇପଡ଼ିଥିଲା ।
ମଙ୍ଗଳବାର ପୂର୍ବାହ୍ନରେ ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ବସ୍ଷ୍ଟାଣ୍ଡ ନିକଟ କେନ୍ଦୁନାଳ ଠାରେ ସନାତନ ସିଂଙ୍କ ରୋଷେଇ ଘର କବାଟ ପାଖରେ ଏକ ୧୨ ଫୁଟିଆ ଅହିରାଜ ସାପ ଗର୍ଜ୍ଜନ କରୁଥିଲା । ସନାତନଙ୍କ ସ୍ତ୍ରୀ ରୋଷେଇ କରିବାକୁ ଯିବା ସମୟରେ ସାପଟିକୁ ଦେଖି ଭୟଭୀତ ହୋଇ ଟୁରିଷ୍ଟ ଗାଇଡ଼ ତଥା ସାପ ଧରାଳି ମନୋରଞ୍ଜନ ଦାସ, ଗାର୍ଡ଼ ଶଶିକଳା ସାହୁ ଓ ସବୁଜ ବାହୀନିଙ୍କୁ ଖବର ଦେବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ôଚ ସାପଟିକୁ ସତର୍କତାର ସହ ସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲେ । ଉକ୍ତ ସାପଟିକୁ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀଙ୍କ ନିର୍ଦ୍ଦେଶରେ ଦେବଗିରି ଜଙ୍ଗଲରେ ଛଡ଼ାଯାଇଛି । ସୂଚନା ଯେ, କୁଳଡ଼ିହା ଅଭୟାରଣ୍ୟରୁ ସାପ, ଭାଲୁ, ହରିଣ, ହାତୀ ଆସି ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସମୟରେ ତଳକୁ ଆସୁଥିବାର ନଜର ରହିଛି ।