ବାରିପଦାରେ ଜନଜାତି ଲୋକକଳା ସଙ୍ଗମ ଉଦଘାଟିତ ପ୍ରଯତ୍ନ ଅଭାବରୁ ଦେଶର ବିବିଧ ଜନଜାତି ଲୋକକଳା ବିଲୁପ୍ତ ହେବାକୁ ବସିଛି
ବାରିପଦା : ଦୁଇଦିନିଆ ଆନ୍ତଃରାଜ୍ୟ ଜନଜାତି ଲୋକ କଳା ସଙ୍ଗମ ଆଜି ବାରିପଦା ସହିଦ ସ୍ମୃତିଭବନ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ପଦ୍ମଶ୍ରୀ ଗୁରୁମାତା କମଳୀ ସୋରେନ ମୁଖ୍ୟ ଅତିଥି, ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ଲୋକକଳା ପ୍ରମୁଖ ବୀରବଲ ସିଂ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରଯତ୍ନ ଓ ପ୍ରୟାସ ଅଭାବରୁ ଦେଶରେ ଥିବା ବିବିଧ ଜନଜାତି ଲୋକକଳା କ୍ରମଶଃ ବିଲୁପ୍ତ ହେବାକୁ ବସିଥିବା ବେଳେ, ଏସବୁର ଉଦ୍ଧାର ଓ ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଭାରତ ସରକାରଙ୍କ ଟ୍ରାଇଫେଡର ଉପାଧ୍ୟକ୍ଷ ପବିତ୍ର କଂହର, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ ମୁର୍ମୁ, ବନବାସୀ କଲ୍ୟାଣ ଆଶ୍ରମର ସହ ସମ୍ପାଦକ ରାମେଶ୍ୱର ଭଗତ ଓ ବିଶିଷ୍ଟ ଲୋକ କଳା ଗବେଷକ ଡକ୍ଟର ରାଜକିଶୋର ହାଁସଦା ମଂଚାସୀନ ଥିବାବେଳେ, ଲୋକ କଳା ସଂଗମର ସଂଯୋଜକ ଫକୀର ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ କଲ୍ୟାଣ ଆଶ୍ରମର ବିଶ୍ୱାମିତ୍ର ମହାନ୍ତ, ଆରଏସଏସର ବିଶ୍ୱେଶ୍ୱର ଦ୍ୱିବେଦୀ, ଧର୍ମ ଜାଗରଣ ସମନ୍ୱୟର ଅଲୋକ କୁମାର ଖଟୁଆ, ବିଜେପିର କାନ୍ଦ୍ରା ସୋରେନ, କବିବିଷ୍ଣୁ ଶତପଥୀ, ଛୋଟେଲାଲ ମହାନ୍ତ, ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମଗ୍ର ଦେଶରେ ମାତ୍ର ୧୧ଟି ସ୍ଥାନରେ ଏପରି ଜନଜାତି ଲୋକ କଳା ସଙ୍ଗମ ଆୟୋଜିତ ହେଉଥିବା ବେଳେ ବାରିପଦା ତନ୍ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ, ଜିଲ୍ଲାର ବିଭିନ୍ନ ଅଂଚଳରୁ ଲୋକନୃତ୍ୟ ଦଳ ମାନେ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।