ପୁରୀରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ପୁରୀ : ଆଜି ପୁରୀ ଗସ୍ତରେ ଯାଇ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେ ୨୦ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରତିଟି କାମ ସରିବାର ଡେଡଲାଇନ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଶ୍ରୀସେତୁ କାର୍ଯ୍ୟ ଆସନ୍ତା ୬ ମାସ ମଧ୍ୟରେ ଶେଷ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆସନ୍ତା ୩ ମାସ ମଧ୍ୟରେ ଶେଷ ହେବ । ହବିଷ୍ୟାଳୀଙ୍କ ପାଇଁ ନିର୍ମାଣ କରାଯାଇଥିବା ବିଶାଳ ଘରକୁ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ବର୍ଷ ସାରା କିପରି ବ୍ୟବହାର କରିପାରିବେ ସେନେଇ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।
ପୁରୀରେ ଥିବା ୫ଟି ତୀର୍ଥ ପୁଷ୍କରିଣୀର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ସରିଛି । ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗାର ମଧ୍ୟ ସାମଗ୍ରିକ ବିକାଶ କାର୍ଯ୍ୟହାତକୁ ନିଆଯାଇଛି ବୋଲି ସିଏସ କହିଛନ୍ତି । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି । ବର୍ତ୍ତମାନ ବିମାନବନ୍ଦରର ପାଚେରୀ ନିର୍ମାଣ କାମ ଚାଲିଛି । ଖୁବଶୀଘ୍ର ଟେଣ୍ଡର ଡକାଯାଇ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିମାନବନ୍ଦର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।