ମଇତାପୁରରେ ସୋରିଷ ଚାଷ କ୍ଷେତ୍ର ପରିଦର୍ଶନ ସହିତ ଚାଷୀମାନଙ୍କ ସହିତ ଆଲୋଚନା କଲେ ଜିଲାପାଳ
ସିମୁଳିଆ : ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ବିଭିନ୍ନ ଅଧିକାରୀ ମଙ୍ଗଳବାର ମଧ୍ୟାହ୍ନରେ ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳର ବିଭିନ୍ନ ସୋରିଷ କ୍ଷେତ ପରିଭ୍ରମ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ଚାଷୀମାନଙ୍କୁ ଭେଟି କୃଷିର ଉନ୍ନତି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଖାଉଟିମାନେ ଖାଣ୍ଟି ସୋରିଷ ତେଲ ପାଇବା ପାଇଁ ନିଜେ କିପରି ସୋରିଷରୁ ତେଲ ବାହାର କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିପାଇଁ ସବ୍ସିଡ୍ ଯୋଜନାରେ ଏକ ତେଲ ପେଡ଼ା ମେସିନ ଯୋଗାଇ ଦେବାପାଇଁ ଅନ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କୃଷି ପାଇଁ କେନାଲ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିବା ସହିତ ଘାଷ ଓ କଳମରେ କେନାଲ ପୋତିହୋଇ ପଡ଼ିଥିବାର ଦେଖିଥିଲେ । ଏହାକୁ ପଞ୍ଚାୟତରେ ଏକ ଯୋଜନା କରି କେନାଲ ସଫା କରିବା ପାଇଁ ପରାମର୍ଶ ଦେଇଥିଲେ ।
ସୂଚନା ଯେ, ସିମୁଳିଆ କୃଷି ବିଭାଗର ସହଯୋଗରେ ଚଳିତ ବର୍ଷ ମଇତାପୁର ପଞ୍ଚାୟତର ହାଟମଇତାପୁର, ସାନମଇତାପୁର, ମଇତାପୁର ଓ ରାମବିନ୍ଧା ଅଞ୍ଚଳରେ ୩୭୫ଏକର ସୋରିଷ ଚାଷ କରାଯାଇଛି । ସ୍ଥାନୀୟ ଅଞ୍ଚଳର ପଲ୍ଲି ପ୍ରଗତୀ କୃଷକ ମଞ୍ଚର ଗଜେନ୍ଦ୍ର ପ୍ରସାଦ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୩ଶହ ଚାଷୀ ସୋରିଷ ଚାଷ କରିଛନ୍ତି । ଜିଲାପାଳ ଅଗ୍ରଣୀ ଚାଷୀ ଗଜେନ୍ଦ୍ର ପ୍ରସାଦ ବେହେରା କରିଥିବା ଅର୍ଗାନିକ ସୋରିଷ ଚାଷ ଓ ଜିଆ ଖତ(ଭର୍ମି କମ୍ପୋଷ୍ଟ) କ୍ଷେତ୍ର ପରିଦର୍ଶନ କରିବା ସହିତ କୃଷି ସମ୍ପର୍କରେ ଆଲୋଚନା କରିଥିଲେ । ଧାନ ମଣ୍ଡି ଖୋଲିବା ପୂର୍ବରୁ ଆନ୍ଧ୍ର ବେପାରୀ ଧାନ ନେଇଯିବା ଓ ସୋରିଷ ସହିତ ବିଭିନ୍ନ ଚାଷର ଅଭାବୀ ବିକ୍ରି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ଚାଷୀମାନେ ସୋଲାର ସିଷ୍ଟମ୍ ମାଧ୍ୟମରେ ଜଳ ଯୋଗାଣ ପାଇଁ ଦାବି କରିଥିଲେ । ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ କୃଷି ବିଭାଗର ଜିଲା ନୋଡ଼ାଲ ଅଫିସର ଶୁଭମ ସକ୍ସେନା, ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କୁମାର ରାଉତ, ସିମୁଳିଆ ଜିଲା କୃଷି ଅଧିକାରୀ ଲିଟି ପଟ୍ଟନାୟକ, ସହକୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀ ପ୍ରମୁଖ ଯୋଗ ଦେଇଥିଲେ ।