ସଦର ବ୍ଲକରେ ସମସ୍ତ ଧାନ ମଣ୍ଡି ତୁରନ୍ତ ଖୋଲାଯାଉ : ମାନସ ଦତ୍ତ
ଧାନ ମଣ୍ଡିରେ ବ୍ୟାପକ ସମସ୍ୟାକୁ ନେଇ ଜିଲା ଯୋଗାଣ ଅଧିକାରୀଙ୍କୁ ଭେଟିଲା ସଦର ଭାଜପା
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକରେ ଧାନ ମଣ୍ଡି ତୁରନ୍ତ ଖୋଲାଯିବା ସହ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ-ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲା ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ।
ବିଗତ ଦିନରେ ସଦର ବ୍ଲକରେ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ସାମ୍ନାକୁ ଆସୁଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଚାଷୀ କଲ୍ୟାଣ ପାଇଁ ସର୍ବଦା ପ୍ରାଥମିକତା ଦେବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ପ୍ରତିଶୃତିବଦ୍ଧ । ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ସଠିକ ସମୟରେ ଉଚିତ୍ ମୂଲ୍ୟ ପ୍ରଦାନ କରିବା ସହିତ ତୃଣମୂଳ ସ୍ତରରେ ଧାନ କିଣାକୁ ଭାରତ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ପୂର୍ବଭଳି ଟୋକନ ଲାପ୍ସ, କଟନୀ ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା, ମିଲରମାନଙ୍କର ପ୍ରିୟାପ୍ରୀତି ପୋଷଣା ବିଶେଷ ଭାବେ ଚାଷୀ ମାନଙ୍କର ଚିନ୍ତାର କାରଣ ପାଲଟିଛି । ଜମି ଥାଇ ମଧ୍ୟ ଧାନ ବିକ୍ରି ଟୋକନରୁ ବଞ୍ôଚତ ଚାଷୀଙ୍କୁ କିପରି ଯଥାଶୀଘ୍ର ଟୋକନ ମିଳିପାରିବ ସେଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଗତ କିଛି ମାସ ହେବ ପାଗ ଶୁଖିଲା ରହିଥିବା ହେତୁ ମକ୍ସଚର ନାମରେ ଅଯଥା ଧାନର କଟ୍ନୀ ଛଟ୍ନୀ ନକରିବା ପାଇଁ ମିଲର ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ନିର୍ଦ୍ଦେଶ ଦିଆଯିବା ସଙ୍ଗେସଙ୍ଗେ ସଦର ବ୍ଲକରେ ସମସ୍ତ ମଣ୍ଡି ଯଥାଶୀଘ୍ର ଖୋଲାଯାଉ ବୋଲି ଦାବି କରିଛନ୍ତି । ଏଥିସହିତ ସଦର ବ୍ଲକରେ ଶୀତଳଭଣ୍ଡାର ନଥିବା ଯୋଗୁଁ ପରିବା ଚାଷୀ ପୋକମାଛି ଦରରେ ପରିବା ବିକୁଛନ୍ତି, ଯାହାଫଳରେ ଚାଷୀଟିଏ ତାର ଉଚିତ୍ ମୂଲ୍ୟ ପାଇ ପାରୁନାହିଁ । ଫଳରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା ନଷ୍ଟ ହେଉଛି । ପରେ ବିଭାଗୀୟ ଅଧିକାରୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଯଦି ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ନହୁଏ ତେବେ ଭାଜପା ଚାଷୀଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି । ପ୍ରତିନିଧି ଦଳରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ବୁଢାବଳଙ୍ଗ ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଆରସିଏମ୍ଏସ୍ ସଭାପତି ସର୍ବେଶ୍ୱର ମହାନ୍ତି, ରୁପସା ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ପଞ୍ଚୁପଡ଼ା ମଣ୍ଡଳ ପ୍ରଭାରୀ ଲୋକନାଥ ଭୁୟାଁ, ଚାନ୍ଦିପୁର ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନ, ବରିଷ୍ଠ ନେତା ରାଜେନ୍ଦ୍ର ଚାଟାର୍ଜୀ, ୱାର୍ଡ଼ ସଭ୍ୟ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।