ଏଫ୍ଏମ୍ୟୁରେ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ)ର ସ୍ନାତକୋତ୍ତର ସମାଜ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଭାରତୀୟ ଅର୍ଥନୈତିକ ସଂଘ (ଆଇଇଏ) ର ବାର୍ଷିକ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । “ଭାରତରେ ମହାମାରୀ ପରବର୍ତ୍ତୀ ଅର୍ଥନୀତିକ ସ୍ଥିତିର ପୁନରୁଦ୍ଧାର: ନୀତି ଓ ଆହ୍ୱାନ” ଶୀର୍ଷକ ଏହି ସମ୍ମିଳନୀରେ ଭାରତୀୟ ଅର୍ଥନୀତି ସହ ଜଡ଼ିତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ବିଭିନ୍ନ ଦିଗରୁ ବିଶ୍ଳେଷଣ କରାଯାଇଛି ।
ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ, ଆନ୍ତର୍ଜାତୀୟ ସମ୍ମିଳନୀର ସଂଯୋଜକ ଓ ଆୟୋଜକ ସମ୍ପାଦକ ଯୁବ ପ୍ରଫେସର ଡ. ସୁନୀଲ କୁମାର ପାଢ଼ୀ ପ୍ରମୁଖଙ୍କ ସମେତ ଏହି ସମ୍ମିଳନୀର ସଭାପତି ତଥା ଭିତ୍ତି ପ୍ରବକ୍ତା ପ୍ରଫେସର ଆଦ୍ୟା ପ୍ରସାଦ ପାଣ୍ଡେ, ଆଇଇଏର ସଭାପତି ପ୍ରଫେସର ଘନଶ୍ୟାମ ନାରାୟଣ ସିଂହ, ପ୍ରଫେସର ତାପସ ମିଶ୍ର, ଏନ୍ସିଡିଇଏକ୍ସ୍ର ଏମ୍ଡି ଅରୁଣ ରାସ୍ତେ, ପ୍ରଫେସର ଅତୁଲ ଶର୍ମା, ଭାରତୀୟ ଅର୍ଥନୈତିକ ସଂଘର ମୁଖ୍ୟ ସଂଯୋଜକ ଡ. ଅଜୟ କୁମାର ତୋମାର, ସାଧାରଣ ସମ୍ପାଦକ ଡ. ଡି. କେ. ଆସ୍ଥାନା ପ୍ରମୁଖ ବରେଣ୍ୟ ଅତିଥି ଭାବରେ ଉପସ୍ଥିତ ରହି ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ସ୍ଥିତାବସ୍ଥା ଓ ସାମାଜିକ ପରିସ୍ଥିତି ଏବଂ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ଗବେଷଣାତ୍ମକ ସିଦ୍ଧାନ୍ତ ମୂଳକ ଅଭିବ୍ୟକ୍ତି ଉପସ୍ଥାପନା ଓ ଆଲୋଚନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଦେଶ ଓ ବିଦେଶରୁ ପ୍ରାୟ ପାଞ୍ଚଶହ ଭିତ୍ତି ପ୍ରବକ୍ତା ତଥା ଭିତ୍ତି ପ୍ରବନ୍ଧ ଉପସ୍ଥାପନାକାରୀ ପ୍ରତିନିଧୀଙ୍କ ଠାରୁ ପ୍ରବନ୍ଧ ଆହ୍ୱାନ କରାଯାଇଥିଲା ଏବଂ ସେଗୁଡିକୁ ପୁସ୍ତିକା ଆକାରରେ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା । ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଭାରତୀୟ ବୃକ୍ଷରୋପଣ ପ୍ରତିଷ୍ଠାନର ସଦସ୍ୟ ପ୍ରଫେସର ରାକେଶ ମୋହନ ଯୋଶୀ ଙ୍କୁ “ଅଟଳବିହାରୀ ବାଜପାୟୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା ।