ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ : ଟି-୨୦ରେ ହାର୍ଦ୍ଦିକ ଓ ଦିନିକିଆରେ ରୋହିତ ଅଧିନାୟକ
ଉଭୟ ଟି-୨୦ ଓ ଦିନିକିଆରୁ ବାଦ୍ ପଡିଲେ ରିଷଭ ପନ୍ତ
ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଆଗାମୀ ହ୍ବାଇଟ୍ ବଲ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଆଙ୍ଗୁଠି ଆଘାତରୁ ମୁକୁଳି ନଥିବାରୁ ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କୁ ଟି-୨୦ ରୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସିରିଜ୍ ପାଇଁ ଅଧିନାୟକ କରାଯାଇଛି। ଫର୍ମ ପାଇଁ ସଂଘର୍ଷ କରୁଥିବା କେଏଲ ରାହୁଲ ଟି-୨୦ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ସେ ଦିନିକିଆ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ଶିଖର ଧାୱନଙ୍କୁ ମଧ୍ୟ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ । ଉଭୟ ରୋହିତ ଓ କୋହଲି ଦିନିକିଆ ସିରିଜ୍ ପାଇଁ ଫେରିବେ । ଦିନିକିଆ ସିରିଜରେ ରୋହିତ ଶର୍ମାଙ୍କ ଡେପୁଟି ହେବେ ପାଣ୍ଡ୍ୟା । ରାହୁଲ କେବଳ ଓ୍ବିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବେ ।
ଆହତ ଯୋଗୁ ଦୀର୍ଘ ଦିନରୁ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ରବୀନ୍ଦ୍ର ଜାଡେଜା କିମ୍ବା ଯଶପ୍ରୀତ ବୁମ୍ରାଙ୍କ କମବ୍ୟାକ ହୋଇନି। ଟି-୨୦ରେ ନୂଆ ମୁହଁ ଭାବେ ଦ୍ରୁତ ବୋଲର ଶିବମ ମାଭିଙ୍କୁ ସୁଯୋଗ ମିଳିଛି। ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ସୂର୍ଯ୍ୟ କୁମାରଙ୍କୁ ଟି-୨୦ ଟିମର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ମିଳିଛି। ଉଭୟ ଦିନିକିଆ ଓ ଟି-୨୦ ସ୍କ୍ୱାଡରେ ଋଷଭ ପନ୍ତ ନାହାନ୍ତି। ଟି-୨୦ରେ ଈଶାନ କିଶନ ଓ ସଞ୍ଜୁ ସାମସନ ରହିଛନ୍ତି। ଦିନିକିଆରେ ଈଶାନଙ୍କ ସହ କେଏଲ ରାହୁଲ ୱିକେଟ କିପର ଭାବେ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।
ଜାନୁଆରୀ ମାସରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ତିନୋଟି ଟି-୨୦ ଏବଂ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୩ ଜାନୁୟାରୀରେ ମୁମ୍ବାଇରେ ଅନୁଷ୍ଠିତ ହେବ । ଦ୍ବିତୀୟ ମ୍ୟାଚ୍ ୫ ଜାନୁୟାରୀରେ ପୁଣେ ଏବଂ ତୃତୀୟ ମ୍ୟାଚ୍ ୭ ଜାନୁୟାରୀ ରାଜକୋଟରେ ଖେଳାଯିବ । ପ୍ରଥମ ଦିନିକିଆ ୧୦ ଜାନୁୟାରୀରେ ଗୁଆହାଟୀରେ ଖେଳାଯିବ । ଏହା ପରେ ଜାନୁୟାରୀ ୧୨ ରେ ଦ୍ବିତୀୟ ଦିନିକିଆ କୋଲକାତାରେ ଓ ତୃତୀୟ ଦିନିକିଆ ଜାନୁଆରୀ ୧୫ ରେ ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ହେବ ।
ଭାରତୀୟ ଟି-୨୦ ଦଳ :
#TeamIndia squad for three-match T20I series against Sri Lanka.#INDvSL @mastercardindia pic.twitter.com/iXNqsMkL0Q
— BCCI (@BCCI) December 27, 2022
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ ରକ୍ଷକ), ଋତୁରାଜ ଗାଇକୱାଡ, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର।
ଦିନିକିଆ ଦଳ :
#TeamIndia squad for three-match ODI series against Sri Lanka.#INDvSL @mastercardindia pic.twitter.com/XlilZYQWX2
— BCCI (@BCCI) December 27, 2022
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ସିରାଜ୍, ମହମ୍ମଦ ଶାମି, ଉମ୍ରାନ ମଲିକ, ଅର୍ଶଦୀପ ସିଂ।