୧୧ରେ ସବୁ ପେଟ୍ରୋଲ ପମ୍ପରେ ୪ ଘଣ୍ଟିଆ ଧାରଣା ଦେବ କଂଗ୍ରେସ
- ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପ୍ରତ୍ୟାହାର ଦାବି
ଭୁବନେଶ୍ୱର : କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ଯାହାଦ୍ୱାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ଉଭୟ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିବା ଦାବୀରେ ଚଳିତ ମାସ ଜୁନ ୧୧ ତାରିଖ ଶୁକ୍ରବାର ପ୍ରାତଃ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ (ତାଲାବନ୍ଦ ସମୟ ମଧ୍ୟରେ) ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରିବ କଂଗ୍ରେସ । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ବ୍ୟାନର, ପ୍ଲାକାର୍ଡ଼ରେ ‘ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି, ଆର୍ôଥକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା ବୃଦ୍ଧି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ମଜୁରୀ ଓ ରୋଜଗାର କମିବା ଉପରେ ସ୍ଲୋଗାନ ଲେଖି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ସୂଚାଇବାକୁ ବିଶେଷ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ । ୧୧ ତାରିଖର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା, ବ୍ଲକ, ନଗର ସ୍ତରରେ ଅବିଳମ୍ବେ ଜିଲ୍ଲା କଂଗ୍ରେସ ସଭାପତି ମାନେ ପ୍ରସ୍ତୁତି ବୈଠକ ଡାକି ସମସ୍ତ କଂଗ୍ରେସ ନେତୃମଣ୍ଡଳୀ, ବିଧାୟକଗଣ ଓ ସାଂସଦ, ପ୍ରାକ୍ତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ଓ ପିସିସି ସଦସ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ.୨୫.୭୨ ପଇସା ଓ ଡିଜେଲ ଦର ଟ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ।