ସରିଲା ମାଟ୍ରିକ୍ ଏସ୍ଏ-୧ ଖାତା ଦେଖା, ଖୁବ୍ଶୀଘ୍ର ଆସିବ ଫଳାଫଳ
କଟକ : ସରିଲା ମାଟ୍ରିକ୍ ଏସ୍ଏ-୧ ଖାତା ଦେଖା । ଗତ ୯ତାରିଖରୁ ଆରମ୍ଭ ହୋଇଥିବା ଖାତା ଦେଖା ଶେଷ ହୋଇଛି । ଏସ୍ଏ-୧ ସହ ସଂସ୍କୃତ ମଧ୍ୟମା ଓ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଖାତା ଦେଖା ମଧ୍ୟ ଶେଷ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସୂତ୍ରରୁ ସୂଚନା ମିଳିଛି ।
୫୬ଟି ମୂଲ୍ୟାୟନ କେନ୍ଦ୍ରରେ ହେଉଥିବା ୩ଟି ଯାକ ପରୀକ୍ଷାର ଖାତାଗୁଡ଼ିକୁ ଦୁଇ ଦିନ ମଧ୍ୟରେ ବୋର୍ଡର କ୍ୟାମ୍ପ ଅଫିସରଙ୍କ ଦ୍ୱାରା ଯାଂଚ କରାଯିବ । ଏହାପରେ ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ବୋର୍ଡ କାର୍ଯ୍ୟାଳୟକୁ ଅଣାଯିବ । ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରୁ ମୁଖ୍ୟ ପରୀକ୍ଷକଙ୍କ ତତ୍ୱାବଧାନରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମାର୍କ ବୋର୍ଡ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ଅପଲୋଡ୍ କରାଯାଇଥିବା ବୋର୍ଡ ସୂତ୍ରରୁ ସୂଚନା ମିଳିଛି ।
ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଆଧାରରେ ସବଜେକ୍ଟିଭ୍ ପରୀକ୍ଷାର ପ୍ରତି ବିଷୟର ମାର୍କ ଅପଲୋଡ୍ ହୋଇଥିବାରୁ ପରୀକ୍ଷାଫଳ ପ୍ରସ୍ତୁତିରେ ଅଧିକ ସମୟ ନଷ୍ଟ ହେବ ନାହିଁ ବୋଲି କର୍ତୃପକ୍ଷ କହିଛନ୍ତି । ସବ୍ଜେକ୍ଟିଭ୍ ମାର୍କ ଏବଂ ଓଏମ୍ଆର୍ର ଉତର ସିଟ୍ରୁ ଅବଜେକ୍ଟିଭ୍ ପରୀକ୍ଷା ମାର୍କ ନିଆଯାଇ ଏବେ ପରୀକ୍ଷା ଫଳ ପ୍ରସ୍ତୁତ ଲାଗି ପ୍ରକ୍ରିୟା ଚାଲିବ । ସୂଚନାଯୋଗ୍ୟ, ମୂଲ୍ୟାୟନ ଲାଗି ରାଜ୍ୟରେ ୧୨ ହଜାର ୪୫୦ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା ।