ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ; ଏଲଆରପି ପରୀକ୍ଷା ଦେଇପାରିଲେନି ଛାତ୍ରୀଛାତ୍ର
ରୂପସା : ବାଲେଶ୍ୱର ସଦର ବ୍ଲକ ରୂପସା ଥାନା ଅନ୍ତର୍ଗତ ଆଘିରିଆ ସରକାରୀ ପ୍ରାଥମିକ ଓ ଅମରେଶ୍ୱର ୟୁପି ସ୍କୁଲରେ ସୋମବାର ତାଲାବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ୩ ଜଣ ଶିକ୍ଷକ ଥିବାରୁ ଏସ୍ଏମ୍ସି ଓ ଅବିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲେ ହେଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଫାଟକ ସମ୍ମୁଖରେ ଅବିଭାବକ, ଗ୍ରାମବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଫଳରେ ସୋମବାର ସରକାରଙ୍କ ପକ୍ଷରୁ ହୋଇଥିବା ଏଲ୍ଆର୍ପି ପରୀକ୍ଷା ଦେଇନପାରି ଛାତ୍ରୀଛାତ୍ର ଫାଟକ ବାହାରେ ବସି ରହିଥିଲେ ।
ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୨୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୨ ଜଣ ଶିକ୍ଷକ ଥିବାବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ରହିଥିବା ଜଣେ ଶିକ୍ଷକ ଦୁଇ ମାସ ଧରି ପକ୍ଷାଘାତ ପୀଡ଼ିତ ଯୋଗୁଁ ଛୁଟିରେ ଥିବାରୁ ପାଠ ପଢ଼ା ଏକରକମ ଠପ୍ ଥିବା ଅଭିଯୋଗ ହୋଇଛି । ସୋମବାର କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ନ ପହଞ୍ôଚବାରୁ ଉତ୍ତେଜନା ଦେଖାଦେଇଥିଲା । ଉଭୟ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।