ମହାନଗର ବିଜେପି ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କଟକ : କଟକ ମହାନଗର ନିଗମ(ସିଏମସି)ର ଅପାରଗତା ପାଇଁ ସହରର ଅବସ୍ଥା ଦିନକୁ ଦିନ ଖରାପ ହୋଇପଡୁଥିବା ଅଭିଯୋଗରେ ମହାନଗର ବିଜେପି ପକ୍ଷରୁ ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଟକରେ ମଶାଙ୍କ ପ୍ରାଦୁର୍ଭାବ ବଢି ବଢି ଚାଲିଛି, ଏନେଇ ବିଭିନ୍ନ ରୋଗ ମଧ୍ୟ ବ୍ୟାପିବାରେ ଲାଗିଛି । ମଶା ନିରାକରଣ ପାଇଁ ପ୍ରଚୁର ଅର୍ଥ ବ୍ୟବସ୍ଥା ଥିଲେ ମଧ୍ୟ ସିଏମସି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିରେ ସଂପୂର୍ଣ୍ଣ ଫେଲ ମାରିଛି । ସେହିଭଳି ମିଟର ଟାମ୍ପରିଙ୍ଗ ନାମରେ ଲୋକଙ୍କଠାରୁ ବିଜୁଳି ବିଲ୍ ଆଦାୟରେ ହଇରାଣ ହରକତ କରିବା ମଧ୍ୟ ଦେଖାଯାଉଛି । କଟକରେ ସ୍ୱଚ୍ଛ ପିଇବା ପାଣି ପାଇଁ ଆଜି ମଧ୍ୟ ଅନେକ ସ୍ଥାନରେ ଲୋକେ ହନ୍ତସନ୍ତ ହେଉଛନ୍ତି; ଯଦିଓ କେନ୍ଦ୍ର ସରକାର ଏଥିପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି ତେବେ ଏହାର ସୁବିନିଯୋଗ ହେଉନାହିଁ । ସେହିପରି କଟକର ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାସ୍ତା ନବୀକରଣ ହୋଇଥିବା ଫେବର ଟାଇଲ ଓ ଇଟା ୧୫ ଦିନ ପରେ ସେଠାରୁ ଉଠିଯାଉଛି । ଏସବୁର ଦୂରାବସ୍ଥା ପାଇଁ କିଛି ଅସାଧୁ ଅଧିକାରୀ ଓ ଠିକାଦାର ଦାୟୀ । ତେଣୁ ଏସବୁ ସମସ୍ୟାର ତୁରନ୍ତ ସମାଧାନ ଦାବି କରାଯାଇଛି । ଯଦି ଆସନ୍ତା ୭ ଦିନ ମଧ୍ୟରେ ସିଏମସି କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିିରେଖା ଦାସ, ସବ୍ୟସାଚୀ ମହାପାତ୍ର, ରତନ ମହାନ୍ତି, ଦେବାନନ୍ଦ ସିଂହ, ବିଶ୍ୱରଂଜନ ମିଶ୍ର, ଭାଗିରଥି ଦଳେଇ, ମହମ୍ମଦ ସବିର, ଜୟକୃଷ୍ଣ ସ୍ୱାଇଁ, ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ଗଗନ ଓଝା, ସତ୍ୟବ୍ରତ ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ଥିଲେ ।