ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମା’-ବାପା
ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ଥାନା ଅନ୍ତର୍ଗତ ବାଙ୍କୀଶୂଳ ଗାଁରେ ଅଘଟଣ । ଘରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ। ଏନେଇ ହତ୍ୟା ଅଭିଯୋଗ ଆଣିଲେ ମା’-ବାପା।
ସୂଚନା ଯେ, ବାଙ୍କୀଶୂଳ ଗ୍ରାମର ଦାମ ସିଂଙ୍କ ପୁଅ ଦୀପକ (୧୨) ସପ୍ତମ ଶ୍ରେଣୀର ଛାତ୍ର । ରବିବାର ସେ ଘରେ ଥିଲେ। ସନ୍ଧ୍ୟାରେ ଘରକୁ ମା’ ଫେରିବା ପରେ ଦୀପକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ନେଇ ମା’-ବାପା ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ଘଟଣାକୁ ଗୁରୁତର ସହ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।