ଦୁଡୁବାଡ଼ା ନଦୀରେ ଭାସିଯାଇ ଜଣେ ପର୍ଯ୍ୟଟକ ନିଖୋଜ
ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅଘଟଣ। ରବିବାର ଦାରିଙ୍ଗବାଡ଼ି ଲଭର୍ସ ପଏଣ୍ଟ ଦୁଡୁବାଡ଼ା ନଦୀର ପ୍ରଖର ସୁଅରେ ପୁରୀରୁ ଆସିଥିବା ଦୁଇ ଜଣ ପର୍ଯ୍ୟଟକ ଭାସିଯାଇଥିଲେ। ତେବେ ସ୍ଥାନୀୟ ଲୋକ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଡିସେମ୍ବର ମାସ ତୃତୀୟ ରବିବାର ଛୁଟି ଦିନରେ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଗହଳି ଜମିଥିଲା। ପୁରୀରୁ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଦୁହୁବାଡ଼ି ଭ୍ରମଣ ସକାଶେ ଆସିଥିଲେ। ୨ ଜଣ ପର୍ଯ୍ୟଟକ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ। ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକଙ୍କ ସମେତ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।