ପୋକ ସାଲୁବାଲୁ ହୋଇ ଜୀବନ ସହ ସଂଘର୍ଷରତ ବୃଦ୍ଧଙ୍କୁ ସହାୟତାର ହାତ ବଢ଼ାଇଲେ ସରପଞ୍ଚ
ନୀଳଗିରି : ଆଜିବି ବଞ୍ଚି ରହିଛି ମାନବିକତା । ମାନବ ସେବା ହିଁ ମାଧବ ସେବା । ସେବା ହେଉଛି ମଣିଷର ପରମ ଧର୍ମ । ଅସହାୟ ପୋକ ସାଲୁବାଲୁ ହୋଇ ଶୀତ କାକରରେ ଜୀବନ ସହ ଜୁଝୁଥିବା ଜଣେ ଅସହାୟ ବୃଦ୍ଧକୁ ସହାୟତାର ହାତ ବଢ଼ାଇଲେ ସଜନାଗଡ଼ ସରପଞ୍ଚ ପ୍ରଦୀପ କୁମାର ଖାଲପାଳିଆ ।
ବୃଦ୍ଧ ଜଣକ କେଉଁ ଏକ ପରିସ୍ଥିତିରେ ସେ ନିଜ ଭାରସାମ୍ୟ ହରାଇ ଜନ୍ମସ୍ଥାନ, ପରିବାର, ବାପା, ମା’, ଭାଇ, ଭଉଣୀ, ବନ୍ଧୁ ଓ ବାନ୍ଧବଙ୍କୁ ଛାଡ଼ି ଅଧୁରା ଦୁନିଆକୁ ଚାଲି ଆସିଛନ୍ତି । ସେ କେବେ ଭାବିନି ଯେ ଆଉ କେବେ ମୁଁ ଘରକୁ ଫେରିବି । କେତେବେଳେ ଜୀବନ ଦିପ ଲାଗିଯିବ ତାହାବି କେହି ଜାଣିପାରିବେନି । ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଅଧିନ ସଜନାଗଡ଼ ବଜାରରେ । ଜଣେ ଅଜଣା ବୃଦ୍ଧ ଲୋକ ୪ ଦିନ ପୁର୍ବରୁ ଆସିଥିବା ବେଳେ ଚାଲିନପାରି ରାସ୍ତା କଡ଼ରେ ଦୁଇ ହାତ ଓ ଗୋଟିଏ ଗୋଡ଼ ତଳେ ଲଗାଇ ଘୋଷାରି ଘୋଷାରି ହୋଇ ବିଭିନ୍ନ ଦୋକାନ ସାମ୍ନାରେ ଘଣ୍ଟା ଘଣ୍ଟା ବସି ରହୁଥିଲା । ଚାଲିବାର ଶକ୍ତି ହରାଇବା ସହ ନିଜ କଥାକୁ କାହାରି ପାଖରେ କହିବାକୁ ମଧ୍ୟ ଅସହାୟ ହେଉଥିବା ବେଳେ ସମସ୍ତଙ୍କୁ ସାହାଯ୍ୟ ମାଗିବା ଭଳି ଅନାଉଥିଲା । ବାମ ଗୋଡ଼ର ପାଦ କ୍ଷତ ପାଇଁ ଅଧା କଟି ଗଲାଣି । ଚିକିତ୍ସା ଅଭାବରୁ ସେଥିରେ ପୋକ ସାଲୁବାଲୁ ଓ ଗନ୍ଧ ହେଉଥିବା ଦେଖିବାକୁ ମିଳିଛି । ଅଜଣା ବୃଦ୍ଧ ଜଣକଙ୍କର ପରିଚୟ ମିଳିପାରି ନଥିବା ବେଳେ ସେ ମାସସିକ ଭାରସାମ୍ୟ ହରାଇଥିବା ବୋଲି ଅନୁମାନ କରାଯାଉଛି । ଏହି ରାସ୍ତା ଦେଇ ଅନେକ ବାବୁ ଲୋକମାନେ ଯିବା ଆସିବା କରୁଥିବା ବେଳେ କେହି ତାଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଉଚିତ୍ ମଣି ନଥିଲେ । ଶେଷରେ ବୁଧବାର ସଜନାଗଡ଼ ବଜାରରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ଖାଲପାଳିଙ୍କ ନଜରେ ଆସିଥିଲେ ବୃଦ୍ଧ । ଶ୍ରୀ ଖାଲପାଳିଆ ତାଙ୍କୁ କିଛି ଖାଦ୍ୟ ଦେବା ସହ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡକାଇ କିଛି ବନ୍ଧୁଙ୍କ ସହାୟତାରେ ବୃଦ୍ଧଙ୍କୁ ନୀଳଗିରି ମେଡିକାଲକୁ ନେଇ ଡାକ୍ତରଙ୍କ ସହ ଆଲୋଚନା କରି ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଚିକିତ୍ସା ସମୟରେ ଅଜଣା ବୃଦ୍ଧ ଲୋକଟି ମହାରାଷ୍ଟ୍ର ରାଜ୍ୟର ବୋଲି ସୂଚନା ମିଳିଛି ।