୪୦ ହଜାର ଲାଞ୍ଚ ନେବାବେଳେ ତହସିଲ କିରାଣିଙ୍କୁ କାବୁକଲା ଭିଜିଲାନ୍ସ ମ୍ୟୁଟେସନ କେସରେ ପଟ୍ଟା କରାଇ ଦେବାକୁ ନେଉଥିଲେ ଲାଞ୍ଚ
ବାରିପଦା : ଯଶିପୁର ତହସିଲ ଅଫିସର କିରାଣୀ ଭାର୍ଗବ ମହାକୁଡ ୪୦ହଜାର ଟଙ୍କା ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ଦ୍ୱାରା ରେଡ ହ୍ୟାଣ୍ଡରେ ଗିରଫ ହୋଇଥିବାର ଜଣାଯାଇଛି । ସୂଚନା ମୁତାବକ ଏକ ସିଭିଲ କେସର କୋର୍ଟ ଡିକ୍ରି ବଳରେ ଯଶିପୁର ତହସିଲ ଅଫିସରେ ଚାଲିଥିବା ଏକ ମ୍ୟୁଟେସନ କେସରେ ପଟ୍ଟା କରାଇ ଦେବା ପାଇଁ ପୂର୍ବରୁ କିରାଣୀ ଭାର୍ଗବ ମହାକୁଡ ୧୫ ହଜାର ଟଙ୍କା ଲାଞ୍ଚ ନେଇସାରିଥିବା ବେଳେ ଆଜି ଚୁକ୍ତି ମୁତାବକ ଅଭିଯୋଗକାରୀ ଯଶିପୁର ଥାନା କାଳିଆଣି ଗ୍ରାମର ଭିଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ କେମିକାଲ ବୋଳା ହୋଇଥିବା ୪୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କଲାବେଳେ ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସର ମିଳିତ ଟିମ ମାଡିବସି କାବୁ କରିଥିବାର ଜଣାଯାଇଛି । ତାଙ୍କଠାରୁ ଭିଜିଲାନ୍ସ ଟିମ ଲାଞ୍ଚ ନେଇଥିବା ସମସ୍ତ ୪୦ ହଜାର ଟଙ୍କା ଜବଦ କରିବା ସହିତ ହାତ ଧୋଇବାରୁ ପାଣିଲାଲ ହୋଇଥିବାର ଦେଖାଯାଇଥିଲା । ତେବେ ଏବାବଦରେ ବାଲେଶ୍ୱର ଭିଜିଲାନ୍ସ ଥାନା କେସ ନଂ ୩୪ ମୂଳେ ମାମଲା ରୁଜୁ ହେବା ସହ ଗିରଫ ହୋଇଥିବାର ଜଣାଯାଇଛି । ତେବେ ବିଭିନ୍ନ ସମୟରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ ଆଦି ବିଭାଗରେ ଏଭଳି ମୋଟା ଅଙ୍କର ଲାଞ୍ଚ ନେଉଥିବା ବେଳେ, ତଳିଆ କର୍ମଚାରୀ ମାନେ ଭିଜିଲାନ୍ସ ହାବୁଡରେ ପଡୁଥିବା ବେଳେ, ବାସ୍ତବରେ ବଡମାଛ ଅଧିକାରୀ ଖସିଯାଉଥିବାର ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।