ମେକ୍-ଇନ-ଓଡ଼ିଶା କନ୍କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବ
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନରୱେ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ଜଳଯୋଗରେ ସାମିଲ ହୋଇ ପୁଂଜିନିବେଶ ସଂପର୍କରେ ଆଲୋଚନା କରିଥିଲେ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପ୍ରଥମ ଅଧିବେଶନ (ପ୍ଲେନାରୀ ସେସନ୍)ରେ ୫୪ ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିବାବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗୀମାନେ ଯୋଗଦେଇ ଥିଲେ । ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଏଥିରେ ଜାପାନ୍, ଜର୍ମାନୀ, ନରେୱ, ନେପାଳ,ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ ଓ ଥାଇଲାଣ୍ଡ ଆଦି ଦେଶ ମଧ୍ୟ ସାମିଲ ହୋଇଛନ୍ତି । ମୋଟ ୨୧ଟି ନିବେଶ ସଂପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଉଭୟ ନିବେଶ ଓ ଅଣନିବେଶ କ୍ଷେତ୍ର ମିଶି ମୋଟ ୬୭ଟି ନିବେଶ ପତ୍ର ଗ୍ରହଣ କରାଯାଇଥିଲା । ଏହି ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥି ଯୋଗୁଁ ୨ ଲକ୍ଷ ୪୭ ହଜାର ୮୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏତଦ୍ବ୍ୟତୀତ ଦେଶର ବିଭିନ୍ନ ସହରରେ ଗତ ୬ ମାସ ମଧ୍ୟରେ ଯେଉଁ ରୋଡ୍ ଶୋ ହୋଇଥିଲା, ତନ୍ମଧ୍ୟରୁ ପ୍ରସ୍ତାବନା ଆସିଥିବା ୭୮ଟି ନିବେଶ ପ୍ରତିଶ୍ରୁତିକୁ ଆଜି ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଛି । ଏଥିରେ ୧ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କାର ପୁଂଜିନିବେଶ ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ୭୨ ହଜାର ୮୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଉପରୋକ୍ତ ସମସ୍ତ କ୍ଷେତ୍ରରୁ ମୋଟ ୭,୨୬,୧୨୮.୪୫ କୋଟିର ପୁଂଜିନିବେଶ ପ୍ରତିଶ୍ରୁତି ମିଳିଛିି ବୋଲି ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଶନିବାର ମେକ୍ ଇନ୍ ଓଡ଼ିଶା ଦ୍ୱିତୀୟ କାର୍ଯ୍ୟ ଦିବସରେ ସ୍କିଲଡ୍ ଇନ୍ ଓଡ଼ିଶା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍, ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ କେତେକ ଶିଳ୍ପ ଉପରେ ନିର୍ଭର କରୁଥିବା କ୍ଷୁଦ୍ରଶିଳ୍ପ, ଆନୁଷଙ୍ଗିକ ଶିଳ୍ପ ଓ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ଜୋରଦାର କରିବା ଲକ୍ଷ୍ୟରେ ୫ଟି ବୁଝାମଣାପତ୍ର ସମେତ ୭ଟି ଆଗ୍ରହ ପତ୍ର ସ୍ୱାକ୍ଷରିତ ହୋଇଛି । ମନ୍ତ୍ରୀ ଶ୍ରୀ ଦେବ ଅନ୍ୟ ଅତିଥିମାନଙ୍କ ଗହଣରେ ଷ୍ଟାର୍ଟଅପ୍ ନେଇ ଗୋଟିଏ ଫଳାଫଳ ବିବରଣୀ ଏବଂ କଫିଟେବୁଲ୍ ପୁସ୍ତକ ଉନ୍ମୋଚନ କରିଥିଲେ । ଷ୍ଟାର୍ଟଅପ୍ ଯାତ୍ରା ପୁରସ୍କାରଗୁଡ଼ିକ ପ୍ରଦାନ କରାଯାଇଥିଲା । ଏଠାରେ ଅନୁଷ୍ଠିତ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପ୍ରମୁଖ ଶିଳ୍ପସଂସ୍ଥାର କାର୍ଯ୍ୟକର୍ତାମାନଙ୍କ ସମାବେଶରେ ‘ଷ୍ଟାର୍ଟଅପ୍ ଦୃଷ୍ଟାନ୍ତରେ ପରିବର୍ତନ ଏବଂ ଭବିଷ୍ୟତ ମାର୍ଗ’ ଶୀର୍ଷକ ପ୍ରସଙ୍ଗକୁ ନେଇ ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ଶ୍ରୀ ଦେବଙ୍କ ସମେତ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଥିଲେ ଯେ ଷ୍ଟାର୍ଟଅପ୍ ଗୁଡ଼ିକ ଦ୍ୱାରା ନିଯୁକ୍ତି ସୁଯୋଗରେ ବ୍ୟାପକ ସମ୍ଭାବନା ରହିଛି ଏବଂ ସମାଜରେ ନୈନନ୍ଦିନ ସମସ୍ୟାର ସମାଧାନ ସମ୍ଭବ ହୋଇପାରୁଛି । ସୂଚନା ପ୍ରଯୁକ୍ତି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରଗୁଡ଼ିକରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ।
ଷ୍ଟାର୍ଟଅପ୍ ଓଡ଼ିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓଁକାର ରାୟ କହିଥିଲେ ଯେ ୨୦୧୬ଠାରୁ ଇତି ମଧ୍ୟରେ ୨୫ଟି କ୍ରିୟାଶୀଳ ଇନକ୍ୟୁବେଟର ଦ୍ୱାରା ୧୪୩୪ଟି ଷ୍ଟାର୍ଟଅପ୍ ରାଜ୍ୟରେ କାର୍ଯ୍ୟ କରୁଛି । ଏଥିରୁ ୫୯୦ଟି ଷ୍ଟାର୍ଟଅପ୍ କେବଳ ମହିଳାମାନଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ରାଜ୍ୟ ସରକାର ଷ୍ଟାର୍ଟଅପ୍ ବିକାଶ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ବୃହତ୍ ପାଣ୍ଠି (ପାଣ୍ଠିର ପାଣ୍ଠି) ପ୍ରତିଷ୍ଠା କରିବେ । ଏଥି ପାଇଁ ୧୨୦୦ କୋଟି ଟଙ୍କାର ଆର୍ôଥକ ବ୍ୟବସ୍ଥା କରାଯିବ । ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ପଦ୍ମଭୂଷଣ ଅଜୟ ଚୌଧୁରୀ, ‘ଫିକି’ ଷ୍ଟାର୍ଟଅପ୍ କମିଟିର ଅଧ୍ୟକ୍ଷ, ଇନ୍ଟେଲ୍ ଇଣ୍ଡିଆର କଂଟ୍ରିହେଡ୍ ନିବୃତି ରାୟ ମଧ୍ୟ ଓଡ଼ିଶାରେ ଷ୍ଟାର୍ଟଅପ୍ ସମୃଦ୍ଧିର ସମୀକ୍ଷା କରି ଅନୁକୂଳ ମନ୍ତବ୍ୟ ଦେଇଥିଲେ । ବିଶିଷ୍ଟ ସାମ୍ବାଦିକ ମାଧବନ୍ ନାରାୟଣ, ଆଇଏଏନ୍ ର ଅନ୍ୟତମ ପ୍ରତିଷ୍ଠାତା ପଦ୍ମଜା ରୂପାରେଲ୍, ଇଣ୍ଡିଆ କ୍ୟାପିଟାଲ୍ ର ପ୍ରତିଷ୍ଠାତା ରାଜ୍ ମିଶ୍ର, ଲେଟ୍ଅସ୍ ଭେଂଚରର ସହପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଶାନ୍ତି ମୋହନ, କୋଂଟାକ୍ ର ମ୍ୟାନେଜିଂ ପାର୍ଟନର ପ୍ରେମ୍ ପାର୍ଥସାରଥି, ସି ଫଣ୍ଡର ମ୍ୟାନେଜିଂ ପାର୍ଟନର ମନୋଜ କୁମାର ଅଗ୍ରୱାଲ୍, ୟୁନିକର୍ଣ୍ଣ ଇଣ୍ଡିଆର ପ୍ରତିଷ୍ଠାତା ଅନୀଲ ଯୋଶୀଙ୍କ ସମେତ ବିଶାଲ ଚୌଧୁରୀ, ଅମରେନ୍ଦ୍ର ସାହୁ, ରାହୁଲ ଦାସ, ପାର୍ଥ ଦାସଙ୍କ ପରି ଷ୍ଟାର୍ଟଅପ୍ ଉଦ୍ୟୋଗୀବୃନ୍ଦ ‘ଔଦ୍ୟୋଗିକତା: ନୂଆ ଓଡ଼ିଶାର ସାରାଂଶ’ ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ ।