ବାଲେଶ୍ୱର : ୩୯୫ ସଂକ୍ରମିତ, ୪୭୭ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲାରେ ୩୯୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ଆଜିମାବାଦରୁ ୪ଜଣ, ନିଷ୍ଟ କଲେଜରୁ ୪, ସୁନହଟରୁ ୪, ଦାମୋଦରପୁରରୁ ୩, ପୁଲିସ ଲାଇନରୁ ୩, ଅରଡ଼ବଜାରରୁ ୩, ଅଙ୍ଗାରଗଡ଼ିଆରୁ ୨, ବିସି ସେନ ରୋଡରୁ ୨, ନେଳିଆବାଗରୁ ୨ଜଣଙ୍କ ସମେତ ବୈରାମନଗର, ବାରବାଟୀ, ଭୋଇସାହି, ଚିଡ଼ିଆପୋଲ, ଗୋଳାପୋଖରୀ, ଆଇଟିଆଇ ଛକ, କାଶିମାବାଦ, ମାନସିଂବଜାର, ମଠସାହି, ରାଣୀପାଟଣା ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ଅଛନ୍ତିି । ସେହିଭଳି ସଦର ବ୍ଲକରୁ ୩୭ଜଣ, ରେମୁଣାରୁ ୨୪ ଜଣ, ବାହାନଗାରୁ ୧୧, ବାଲିଆପାଳରୁ ୧୭, ବସ୍ତାରୁ ଜଣେ, ଭୋଗରାଇରୁ ୮, ଜଳେଶ୍ୱରରୁ ଜଣେ, ଖଇରାରୁ ୩, ନୀଳଗିରିରୁ ୫୧, ଔପଦାରୁ ୩, ସିମୁଳିଆରୁ ୭୯ ଓ ସୋର ବ୍ଲକରୁ ୧୨୩ ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ।
ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୫,୬୬୩ ପହଞ୍ଚିଥିବା ବେଳେ ଆଜି ଦିନକରେ ୪୭୭ ଜଣ ସୁସ୍ଥ ହୋଇଛନ୍ତି । ଜିଲାରେ ଏବେ ସୁଦ୍ଧା ୨୨,୪୧୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏବେ ସକ୍ରିୟ ଥିବା ୩,୧୩୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨,୮୫୭ ଜଣ ଗୃହ ସଙ୍ଗରୋଧରେ ଏବଂ ୨୭୭ଜଣ ଜିଲାର ଦୁଇଗୋଟି କୋଭିଡ ଡାକ୍ତରଖାନା ଓ ୩ ଗୋଟି କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୩୮ ଓ ୫୭ ବର୍ଷର ଦୁଇଜଣ ପୁରୁଷ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି । ଅଦ୍ୟାବଧି ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୩ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ପୁଣି ୪ ଓ ୫ ତାରିଖ ଦୁଇ ଦିନ ଜିଲାର ୮୧ଟି କେନ୍ଦ୍ରରେ ୧୮ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।