ରାଜ୍ୟରେ କରୋନା ସଂକ୍ରମିତ ଆଉ ୩୭ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ମଙ୍ଗଳବାର ଗତ ୨୪ ଘଂଟା ମଧ୍ୟରେ ୮ହଜାର ୭୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୫ ଜଣ ଥିବାବେଳେ କଟକ ଓ କଳାହାଣ୍ଡି ଜିଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ ଜିଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ସୋନପୁର ଜିଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୭,୭୩,୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୮୦,୯୩୨ଜଣ ସୁସ୍ଥ ହୋଇଥିବା ବେଳେ ୮୯,୯୫୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୨୭୯୧ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।