ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ । ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରିଛନ୍ତି ଯେ, ୨୦୨୨ର ସଂସଦୀୟ ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୨୩ ଦିନ ଧରି ହେବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ଟି ବୈଠକ ବସିବ । ଏହି ଅଧିବେଶନରେ ଆଇନ ପ୍ରସ୍ତୁତି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ ।
ଏଥର ଶୀତକାଳୀନ ଅଧିବେଶନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ପରିଚାଳନା କରିବେ । ଚଳିତ ଶୀତକାଳୀନ ଅଧିବେଶନରେ ସରକାର ଅନେକ ଚିଠା ପାରିତ କରିବାକୁ ଯୋଜନା କରିଛନ୍ତି । ସେହିପରି ବିରୋଧୀ ଦଳମାନେ ମଧ୍ୟ ସେ ସବୁ ଚିଠା ଉପରେ ଆଲୋଚନା କରିବାକୁ ଦାବି କରିବେ । ଗତ ଦୁଇବର୍ଷ ହେବ କୋଭିଡ୍ କଟକଣା ସଂସଦୀୟ ଅଧିବେଶନକୁ ବିଶେଷ ପ୍ରଭାବିତ ହୋଇଥିଲା । ଏଥର କୋଭିଡ୍ ସଂକ୍ରମଣ ସଂଖ୍ୟା ବ୍ୟାପକ ହ୍ରାସ ପାଇବା ଏବଂ ଲୋକସଭା ଓ ରାଜ୍ୟସଭା ସଚିବାଳୟର ସମସ୍ତ ସାଂସଦ ଓ କର୍ମଚାରୀ ଟିକା ନେଇଥିବାରୁ ଅଧିବେଶନ ଚାଲିବା ବେଳେ କଟକଣା କୋଠର ହେବନାହିଁ ।