ହସ୍ତଶିଳ୍ପୀଙ୍କୁ ସଚେତନ ପାଇଁ ‘ଚଉପାଲ’ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ସହର କସ୍ତୁରବା ନାରୀସଙ୍ଘ ପରିସରରେ ଭୁବନେଶ୍ୱରର ହସ୍ତଶିଳ୍ପ ସେବା କେନ୍ଦ୍ର ଦ୍ୱାରା ହସ୍ତଶିଳ୍ପୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରିବା ପାଇଁ ‘ଚଉପାଲ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଭୁବନେଶ୍ୱର ହସ୍ତଶିଳ୍ପ ସେବାକେନ୍ଦ୍ରର ବରିଷ୍ଠ ସହାୟକ ନିର୍ଦ୍ଦେଶକ ଅଶୋକ କୁମାର ହୋତା ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ପାଇଁ ବିଭିନ୍ନ ଯୋଜନା ପୁଙ୍ଖାନୁପୁଙ୍ଖ ବୁଝାଇ ଜଣାଇଲେ । ଭୁବନେଶ୍ୱର ଏଚ୍ପିଓ ଶୁଭଜିତ କର୍ମକାର ଅନଲାଇନ ପଞ୍ଜିକୃତ ସହ ବିକ୍ରି କରିବାର ଉପାୟ ସବୁ ବୁଝାଇଥିଲେ । ଓଡ଼ିଶା ଶିଳ୍ପୀ ମହାସଂଘ ସଭାପତି ଉଦୟ କୁମାର ମହାନ୍ତି, ଶିଳ୍ପୀ କେଶୁଦାସ ଯୋଗଦେଇ ଭାରତୀୟ ପାରମ୍ପାରିକ ଖେଳ ଓ ଖେଳନାରେ ଗୁରୁତ୍ୱ ଦେଇ ବାଲେଶ୍ୱରୀ ଜଉକଣ୍ଢେଇର ବିକାଶ ଏବଂ ୨ ଶହ ଶିଳ୍ପୀ ପାଇଁ ନୂଆ ଓ ବଡ଼ ଧରଣର ପ୍ରକଳ୍ପ କରିବାର ଆବଶ୍ୟକତା ରହିଥିବାର ପ୍ରକାଶ କରିଥିଲେ । ବାଲେଶ୍ୱର ଏଚ୍ପିଓ ଦେବାଶିଷ ପାତ୍ର, ଏଚପିଓ କୁମାର ମାରାଣ୍ଡି ଯୋଗଦେଇ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପର ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ସରୋଜିନୀ ଦାସ, ବାସନ୍ତୀ ନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ଭୁବନେଶ୍ୱର ହସ୍ତଶିଳ୍ପ ସେବା କେନ୍ଦ୍ରର ଡିଜାଇନର ରାମାନୁଜ ବଇରିଗଞ୍ଜନ ସଭାକାର୍ଯ୍ୟ ପରିଚାଳାନା କରିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ସହ ରେମୁଣା, ବାହାନାଗା, ବାଲିଆପାଳ, ଔପଦା, ସିମୁଳିଆ, ନୀଳଗିରି ପ୍ରମୁଖ ବ୍ଲକର ଜଉକଣ୍ଢେଇ, ପଥର, ନଡ଼ିଆକତା, ଚାନ୍ଦୁଆ, ସବାଇଘାସ, ଝୋଟ, ଟେରାକୋଟା, ବେତ ବାଉଁଶ, କଂସା, ପିତ୍ତଳ ପ୍ରମୁଖ ୭୦ରୁ ଊର୍ଦ୍ଧ୍ୱ କାରିଗର ଯୋଗ ଦେଇଥିଲେ । ଶେଷରେ ୩୦ ଜଣ ହସ୍ତଶିଳ୍ପୀଙ୍କୁ ଭାରତ ସରକାରଙ୍କ ହସ୍ତଶିଳ୍ପୀ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।