ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆ ଠୁ ହାରିଲା ବିଶ୍ବବିଜେତା ଇଂଲଣ୍ଡ
ଆଡିଲେଡ୍ : ଟି-୨୦ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିପାକ୍ଷିକ ସୀମିତ ଓଭର (ଟି-୨୦ ଓ ଦିନିକିଆ) ଶୃଙ୍ଖଳାର ଦ୍ବିତୀୟ ଚରଣ ଗୁରୁବାର ଠୁ ଆରମ୍ଭ ହୋଇଛି। ବିଶ୍ବ ବିଜେତା ଇଂଲଣ୍ଡ ୫୦ ଓଭରିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ଟି-୨୦ ବିଶ୍ୱକପରେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିବା ଷ୍ଟିଭ ସ୍ମିଥ ୬ ମାରି ଅଷ୍ଟ୍ରେଲିଆକୁ ସହଜ ବିଜୟ ଭେଟି ଦେଇଛନ୍ତି। ଦାୱିଦ ମଲାନଙ୍କ ଶତକୀୟ ସଫଳତାକୁ ବ୍ୟର୍ଥ କରି ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆକୁ ୬ ୱିକେଟ୍ରେ ଜିତି ୧-୦ରେ ଶୃଙ୍ଖଳା ଆଗୁଆ ରହିଛି। ଏହି ଶୃଙ୍ଖଳାର ଦ୍ବିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୧୯ ତାରିଖ (ସିଡ୍ନି) ଓ ୨୨ ତାରିଖ (ମେଲ୍ବର୍ଣ୍ଣ)ରେ ଖେଳାଯିବ।
ଆଡିଲେଡ୍ ଓଭାଲରେ ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ସାଙ୍ଗକୁ ମଧ୍ୟକ୍ରମରେ ମଧ୍ୟ କିଛିଟା ନିରାଶ ସତ୍ତ୍ବେ ଇଂଲଣ୍ଡ ୨୮୭/୯ରେ ପହଞ୍ଚି ଯାଇଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ବିପକ୍ଷରେ ମଲାନ ଏକାକୀ ଲଢ଼ିଥିଲେ। ସେ ୧୨୮ ବଲ୍ରୁ ୧୨ ଚୌକା ଓ ୪ ଛକା ସହାୟତାରେ ୧୩୪ ରନ୍ କରିଥିଲେ। ତାଙ୍କ ବ୍ୟତୀତ ନିମ୍ନକ୍ରମରେ ଡେଭିଡ୍ ୱିଲି ଅପରାଜିତ ୩୪ ଏବଂ ଜୋସ୍ ବଟଲର୍ ୨୯ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଦଳର ନୂଆ ଅଧିନାୟକ ପ୍ୟାଟ କମିନ୍ସ ଓ ଆଡାମ ଜାମ୍ପା ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଲାନଙ୍କ ଲଢ଼ୁଆ ଶତକ ଯୋଗୁ ୨୮୭ ରନର ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଥିଲା।
୨୮୮ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ଇଂଲିଶ ବୋଲିଂ ଆଟାକକୁ କାଉଣ୍ଟର କରିଥିଲା। ଦୁଇ ଓପନର ୱାର୍ଣ୍ଣର ଓ ହେଡ୍ ଦମଦାର ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ପ୍ରଥମ ୱିକେଟ ପାଇଁ ୧୯.୪ ଓଭର ସୁଦ୍ଧା ୧୪୭ ରନ ଯୋଡ଼ି ଥିଲେ। ଏହି ସମୟରେ ୬୯ ରନ କରିଥିବା ହେଡଙ୍କୁ କ୍ରିସ ଜୋର୍ଡାନ ଆଉଟ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ଆଉ ୫୩ ରନ ପରେ ୱାର୍ଣ୍ଣର(୮୬) ୱିଲ୍ଲୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମାର୍ନସ ଲାବୁଶେନ(୪) ଓ ଆଲେକ୍ସ କେରୀ(୨୧) ବେଶୀ କିଛି କରିବାକୁ ସକ୍ଷମ ହୋଇ ନଥିଲେ। ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୩ଟି ୱିକେଟ ହରାଇଥିଲେ ମଧ୍ୟ ଷ୍ଟିଭ ସ୍ମିଥ ନିଜର ଜଲୱା ଦେଖା ଚାଲିଥିଲେ। ପ୍ରଥମେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ କ୍ୟାମରନ ଗ୍ରୀନ(ଅପରାଜିତ ୨୦)ଙ୍କୁ ସାଥୀ କରି ମ୍ୟାଚ୍ ଶେଷ କରିଥିଲେ। ଅଷ୍ଟ୍ରେଲିଆକୁ ଶେଷ ୨୪ ବଲରେ ୭ ରନ ଦରକାର ଥିବା ବେଳେ ସ୍ମିଥ ପ୍ରଥମେ ମଲାନଙ୍କୁ ଗୋଟିଏ ଚୌକା ଓ ପର ବଲରେ ୬କା ମାରି ମ୍ୟାଚ୍କୁ ଶେଷ କରି ଦେଇଥିଲେ। ସ୍ମିଥ ୭୮ ବଲରେ ଅପରାଜିତ ୮୦ ରନର ଇନିଂସ ଖେଳିଛନ୍ତି। ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ରହିଛି। ଇଂଲଣ୍ଡ ହାରିଥିଲେ ମଧ୍ୟ ଲଢ଼ୁଆ ଶତକ ହାସଲ କରିଥିବା ମଲାନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।