ଖଣି ଅଂଚଳରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର , ଖଣିଜ କ୍ଷେତ୍ର ପାଇଁ ଦିଆଯିବ ଟ୍ରେନିଂ
ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍ କାଉନସିଲ୍ ଫର ମାଇନିଂ ସେକ୍ଟର (ଏସ୍.ସି.ଏମ୍.ଏସ) ଅଧିକାରୀଙ୍କ ସହ ଗୁରୁବାର ଲୋକସଭା ଭବନରେ ଆଲୋଚନା କରିଛନ୍ତି । ଓଡ଼ିଶାର ଅଧିକାଂଶ ଜିଲ୍ଲା ଖଣି ପ୍ରଭାବିତ ଅଂଚଳ । ସେଥିପାଇଁ ଜିଲ୍ଲାସ୍ତରରେ ଖଣି ପ୍ରଭାବିତ ଅଂଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହେଉଛି । ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଟ୍ରେନିଂ ଦେଇ ଦକ୍ଷତା ବୃଦ୍ଧି କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷାକୁ ଟ୍ରେନିଂ ପ୍ରଦାନର ମୁଖ୍ୟ ଅଂଶ ଭାବେ ଗ୍ରହଣ କରାଯିବ । ଏହା ଦ୍ୱାରା ଖଣି ପ୍ରଭାବିତ ଅଂଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ପରିବେଶ ସୁରକ୍ଷିତ ରଖା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି ।
ତେବେ ସ୍ଥାନୀୟ ଖଣିଜ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ । ସେହି ଦକ୍ଷତା ବିକାଶ କେନ୍ଦ୍ର ଲାଗି ଆବଶ୍ୟକ ଭିତିଭୂମି ଯୋଗାଇ ଦେବେ ଓଡ଼ିଶା ସରକାର । ଖଣି ଅଂଚଳର ଯୁବବର୍ଗଙ୍କୁ କୁଶଳୀ କରିବାରେ ସଫଳ ହୋଇଥିବା ଏସ୍.ସି.ଏମ୍.ଏସ ଖୁବଶୀଘ୍ର ରାଜ୍ୟସ୍ତରୀୟ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁଜୀ,ଏସ୍.ସି.ଏମ୍.ଏସର ଏମ୍ଡି ପଙ୍କଜ ସତେଜା, ସିଇଓ ସଞ୍ଜୟ ଶର୍ମା, ଅପରେସନ ମୁଖ୍ୟ ନଭନୀତ କୁମାର ଏବଂ ଟିସଏମଏଲ୍ ମାନବ ସମ୍ଭଳ ପ୍ରବନ୍ଧକ ଗୌତମ ଚକ୍ରବର୍ତି ପ୍ରମୁଖ ଉପସ୍ଥିତ ଥିଲେ ।