ଆଜି ପବିତ୍ର ପ୍ରଥମାଷ୍ଟମୀ ! ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ସମର୍ପିତ ଦିନଟିଏ
ଆଜି ପବିତ୍ର ପ୍ରଥମାଷ୍ଟମୀ । ମାର୍ଗଶୀର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଏହି ଏହି ପର୍ବ ପାଳନ କରାଯାଇଥାଏ । ଏନେଇ ଗାଁ ଠୁ ନେଇ ସହର ଚାରିଆଡେ ଏହି ପର୍ବ ପାଳନ କରାଯାଉଛି । ଏହି ପର୍ବ ଅବସରରେ ଘରର ବଡ ମାନଙ୍କୁ ପୋଢୁଆଁ କରାଯିବାର ପରମ୍ପରା ରହିଛି । ଏଥିପାଇଁ ଖାସ୍ କରି ମାମୁଁ ଘରୁ ନୁଆଁ ବସ୍ତ୍ର ଆସିଥାଏ । ମାମୁଁ ଘରୁ ଆସିଥିବା ସେହି ନୂତନ ବସ୍ତ୍ରକୁ ଘରର ବଡମାନେ ପିନ୍ଧି ପୂଜାରେ ବସିଥାନ୍ତି । ଏହାପରେ ତାଙ୍କୁ ଫୁଲ, ଚନ୍ଦନ ଏବଂ ଧୂପ ଏବଂ ଦୀପ ବୁଲାଇ ବନ୍ଦାପନା କରାଯିବା ସହ ସେମାନଙ୍କର ଶୁଭ ମନାସୀ ଷଠୀ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରଥାମାଷ୍ଟମୀ ଲାଗି ପ୍ରତ୍ୟେକ ଘର ପିଠା ପଣାର ବାସ୍ନାରେ ମହକୁଛି । ଏହି ପର୍ବରେ ଖାସ୍ କରି ଏଣ୍ଡୁରୀ ପିଠା ତଥା ହଳଦୀ ପତ୍ର ପିଠା କରାଯାଇଥାଏ ।
ଓଡ଼ିଶାର ଏକ ଅନନ୍ୟ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଧରାଯାଇଛି । ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନ ବା ଜ୍ୟେଷ୍ଠ ପିଲାଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ବ। ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ। ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ରୁଚିକର ଲାଗେ।ଆଜିର ଦିନ ରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପଢୁଆଁ ହୁଅନ୍ତି । ମାନବୀୟ ଲୀଳାଖେଳାର ଠାକୁର ଙ୍କ ପାଇଁ ତାଙ୍କ ମାମୁଁ ଘରୁ ନିଆଳି ରୁ ଆସେ ନୁଆଁ ଲୁଗା ଓ ଭାର । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସକାଳୁ ସକାଳୁ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ପୂଜା କରାଯାଏ। ତା’ର ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେମାନଙ୍କୁ ବନ୍ଦାପନା କରାଯାଏ। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I