ନୀଳଗିରିରୋଡ଼ ଦାଶରଥି ସରକାରୀ ବିଦ୍ୟାଳୟରେ ଶିଶୁ ଦିବସ-୨୦୨୨ ପାଳିତ
ରେମୁଣା : ନୀଳଗିରିରୋଡ଼ ଦାଶରଥି ସରକାରୀ ବିଦ୍ୟାଳୟରେ ଶିଶୁ ଦିବସ-୨୦୨୨ ପାଳିତ ହୋଇଯାଇଛି । ଶିଶୁମାନଙ୍କ ପ୍ରତି ଉତ୍ସର୍ଗୀକୃତ ଏହି ମହାନ ଦିବସରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସମାବେଶରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ ପୌରହିତ୍ୟ କରିଥିଲେ ।
ରେମୁଣା ପଞ୍ଚାୟତ ସମିତିସଭ୍ୟା ଶାନ୍ତା ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରି କୁନିକୁନି ପିଲାମାନଙ୍କ ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ନିମିତ୍ତ ବିଦ୍ୟାଳୟ ସର୍ବଶ୍ରେଷ୍ଠ ପୃଷ୍ଠଭୂମି ହେଉ ବୋଲି ମତ ରଖିଥିଲେ । ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସମ୍ପାଦକ ରବୀନ୍ଦ୍ର ମହାକୁଡ଼, ଅନିରୁଦ୍ଧ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟନ୍ତ କୁମାର ଦାସ, ପୂର୍ବତନ ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀ ଯୋଗଦେଇ ଶିଶୁମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ଓ ଦେଶର ପ୍ରଗତିରେ ସେମାନଙ୍କ ଯୁଗାନ୍ତକାରୀ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏତଦ୍ବ୍ୟତୀତ ବିଦ୍ୟାଳୟର ଶିକ୍ଷ ତଥା ଓଡ଼ିଆ ସାହିତ୍ୟ ଜଗତର ଯଶସ୍ୱୀ ସାଧକ ଅଞ୍ଜନ କୁମାର ଚାନ୍ଦ ଗଳ୍ପ ଶୈଳୀରେ ଶିଶୁ ମାନସିକତା ଉପରେ ବକ୍ତବ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ନଳିନୀ ପ୍ରଭା ସାହୁ, ସୁକାନ୍ତି ରାଉତ, ମୀନାରାଣୀ ଦାସ, ଅରୁଣ କୁମାର ମହାନ୍ତି ପିଲାମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ମାର୍ଗଦର୍ଶନ କରାଇଥିଲେ । ଉତ୍ସବରେ ତଳନଗର ବିଶ୍ୱମ୍ବର ନାଥ ହାଇସ୍କୁଲର ଓଜସ୍ୱୀ ଛାତ୍ର ସିଦ୍ଧିବିନାୟକ ବିଶ୍ୱାଳ ଓ ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ ମିଳିତ ଜାତି ଆନୁକୂଲ୍ୟରେ ଦ୍ୱିତୀୟ ଭୂ-ସୂଚନା ବିଜ୍ଞାନ କଂଗ୍ରେସରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଉପରେ ପ୍ରକଳ୍ପ ପରିବେଷଣ କରି ଓଡ଼ିଶା ତଥା ଭାରତର ପ୍ରତିନିଧିତ୍ୱ କରି ମାନବୃଦ୍ଧି କରିଥିବାରୁ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବିଦ୍ୟାଳୟରେ ବିଭିନ୍ନ ଶୈକ୍ଷିକ ଓ ସହ-ଶୈକ୍ଷିକ କାର୍ଯ୍ୟକ୍ରମରେ ଉତ୍କର୍ଷତା ପ୍ରତିପାଦନ କରି ବିଦ୍ୟାଳୟର ଯଶବୃଦ୍ଧି କରିଥିବା ଶିକ୍ଷାର୍ଥୀମାନଙ୍କୁ ପ୍ରତିଭା ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ, ନାଟକ, ଅଭିନୟ, କୌତୁକବେଶ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷା କର୍ମଚାରୀମାନେ ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।