ଭୀମଭୋଇ ଭିନ୍ନକ୍ଷମ ଶିିବିରରେ ଅବ୍ୟବସ୍ଥା : ୫୮୪ ରୋଗୀଙ୍କୁ ଦେଖିଲେ ଜଣେ ଡାକ୍ତର
ନୀଳଗିରି : ନୀଳଗିରି ପଞ୍ଚାୟତ ସମିତି ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକାଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ନୀଳଗିରି ବିଡିଓ ରାହୁଳ ମଣ୍ଡଳଙ୍କ ନେତୃତ୍ୱରେ ଭିନ୍ନକ୍ଷମ ଶିବିର ଆୟୋଜନ କରିଥିବା ବେଳେ ନୀଳଗିରି ବ୍ଲକର ୨୫ଗୋଟି ପଞ୍ଚାୟତ, ନୀଳଗିରି ଏନ୍ଏସିର ଶତାଧିକ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଛି । ବିଭିନ୍ନ ବିଭାଗର ୫ଜଣ ଡାକ୍ତରମାନେ ଉପସ୍ଥିତ ଥିବାବେଳେ ଲୋକମାନଙ୍କ ପାଇଁ ବ୍ଲକ ପକ୍ଷରୁ ଖାଇବାର ବ୍ୟବସ୍ଥା କରାଯାଇଥିଲା ।
ଏହି ଶିବିରରେ ମୋଟ ୧୨୬୯ ଜଣ ରୋଗୀ ପଞ୍ଜିକରଣ କରିଥିବା ବେଳେ ଅସ୍ଥିଶଲ୍ୟରେ ୫୮୪ଜଣ, ଚକ୍ଷୁରେ ୧୩୭ଜଣ, ମାନସିକ ଅନଗ୍ରସର ୨୮୦, ନାସା କର୍ଣ୍ଣରେ ୨୬୮ଜଣ ରୋଗୀ ପଞ୍ଜିକରଣ କରିଥିଲେ । ଅପରାହ୍ନ ୪ଟା ସୁଦ୍ଧା ବିଭିନ୍ନ ବିଭାଗର ଡାକ୍ତର ପଳାଇ ଯାଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗର ଡା. ନିର୍ମାଲ୍ୟ ମହାପାତ୍ର ସକାଳ ୧୦ଟା ଠାରୁ ରୋଗୀ ଦେଖି ଆସୁଥିବା ବେଳେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ତାଙ୍କ ବିଭାଗରେ ପାଖାପାଖି ୧୦୦ରୁ ୧୫୦ ରୋଗୀ ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅସ୍ଥିଶଲ୍ୟ ବିଭାଗର ଡା. ନିର୍ମାଲ୍ୟ ମହାପାତ୍ରଙ୍କ ଧୈର୍ଯ୍ୟକୁ ଦେଖି ସାଧାରଣରେ ପ୍ରଶଂସା କରାଯାଇଥିଲା ।
ଝିଅ, ବୋହୁ, ବୃଦ୍ଧାବୃଦ୍ଧ ମାନେ ରାତି ପର୍ଯ୍ୟନ୍ତ ଲାଇନରେ ଠିଆ ହୋଇଥିବା ବେଳେ ଭିନ୍ନକ୍ଷମମାନଙ୍କ ପାଇଁ ମାତ୍ର ୫ଟି ହୁଇଲଚେୟାରର ବ୍ୟବସ୍ଥା ହୋଇଥିଲା । ରୋଗୀମାନଙ୍କୁ ସମ୍ପର୍କୀୟମାନେ କିଏ କାନ୍ଧେଇ ତ କିଏ କାଖେଇ ଡାକ୍ତରଙ୍କ ପାଖକୁ ଯାଇଥିବା ଦେଖିବାକୁ ମିଳିଛି । ଏତେ ସଂଖ୍ୟକ ଅସ୍ଥିଶଲ୍ୟ ରୋଗୀ ରହିଥିବା ବେଳେ ଜଣେ ଡାକ୍ତରଙ୍କ ପକ୍ଷେ ଦେଖିବା କଷ୍ଟସାଧ୍ୟ ଦୃଷ୍ଟିରୁ ଅନ୍ୟ ଏକ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କୁ ଆଣିବା ଜରୁରି ଥିଲା । କିନ୍ତୁ ଏହାକୁ କୌଣସି ଅଧିକାରୀ ଦୃଷ୍ଟିଗୋଚର କରି ନ ଥିଲେ । ଡାକ୍ତରଙ୍କ ଅନୁପସ୍ଥିତିରେ କିଛି ରୋଗୀ ଦେଖାଇ ନ ପାରି ଘରକୁ ଫେରିଯାଇଥିବା ଶୁଣିବାକୁ ମିଳୁଛି ।