ଏଫଏମୟୁରେ ‘ଜାତୀୟ ଶିକ୍ଷାନୀତି :୨୦୨୦ ଓ ଏହାର ପ୍ରୟୋଗାତ୍ମକ ଆହ୍ୱାନ’ ଆଲୋଚନା ଚକ୍ର
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ)ର ଶିକ୍ଷା ବିଭାଗ ଦ୍ୱାରା ହରେକୃଷ୍ଣ ମହତାବ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରର ପ୍ରଥମ ଦିନରେ ‘ଜାତୀୟ ଶିକ୍ଷାନୀତି :୨୦୨୦ ଓ ଏହାର ପ୍ରୟୋଗାତ୍ମକ ଆହ୍ୱାନ’ ଆଲୋକପାତ କରାଯାଇଥିଲା । ଏହି ଆଲୋଚନା ଚକ୍ରକୁ ମୁଖ୍ୟଅତିଥି ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍ସାହିତ କରିବା ସହ ସମ୍ମାନୀତ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ମୁଖ୍ୟବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅତନୁ କୁମାର ପତି, କେରଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ ପ୍ରଫେସର ଅମୃତ୍ ଜି କୁମାର, ଫକୀରମୋହନ ବିଶ୍ୱବିଦ୍ୟାଳୟ ସଂଯୁକ୍ତ ପ୍ରାଧ୍ୟାପକ ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ ଉଦ୍ଘାଟନ କରିଥିଲେ । ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ଆବାହକ ଡ. ଜ୍ୟୋତି ଶଙ୍କର ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଚଳନା ସମ୍ପାଦକ ଓ ସହଯୋଗୀ ପ୍ରାଧ୍ୟାପକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ଆଲୋଚନାଚକ୍ରର ପ୍ରଥମ ର୍ପ୍ୟାୟରେ ପ୍ରଫେସର ଅତନୁ କୁମାର ପତି ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଫେସର ଅମୃତ ଜି. କୁମାର ଜାତୀୟ ଶିକ୍ଷାନୀତି : ୨୦୨୦ ଦ୍ୱାରା ପ୍ରଣୀତ ଉଚ୍ଚଶିକ୍ଷା ଓ ଗଣେଷଣା ଉପରେ ଆଲୋକପାତ କରି ନିଜ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ପ୍ରଫେସର ସୁଦର୍ଶନ ମିଶ୍ର ନୂତନ ଶିକ୍ଷାନୀତି ଦ୍ୱାରା ପ୍ରଣୀତ ବିଦ୍ୟାଳୟ ଶିକ୍ଷାକୁ ନିଜ ଆଲୋଚନା ପରିସରଭୁକ୍ତ କରି ସନ୍ଦର୍ଭ ଉପସ୍ଥାପନ କରିବା ସହ ରାଜ୍ୟ ଓ ରାଜ୍ୟ ବାହାର ଶିକ୍ଷୟିତ୍ରୀଶିକ୍ଷକ ଓ ଗବେଷଣାରତ ଛାତ୍ରୀଛାତ୍ର ନିଜ ଗବେଷଣାତ୍ମକ ଦୃଷ୍ଟିକୋଣଜନିତ ସିଦ୍ଧାନ୍ତ ସନ୍ଦର୍ଭ ଆକାରରେ ଉପସ୍ଥାପନ କରିଥିଲେ । ଡ. ପ୍ରତିମା ପ୍ରଧାନ ଏହି ପାଠ୍ୟାଲୋଚନା ଚକ୍ରକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ଡ. ରଞ୍ଜନ କୁମାର ରାଉତ ଧନ୍ୟବାଦ ଦେଇଥିଲେ । ପରିଚାଳନା ସମିତିର ଅନ୍ୟ ସଦସ୍ୟମାନଙ୍କ ସହାୟତାରେ ପ୍ରଥମ ଦିନର ଆଲୋଚନାଚକ୍ର ସଫଳତାର ସହ ସମ୍ପାଦିତ ହୋଇଥିଲା ।