ପଦ୍ମପୁର ଉପ-ନିର୍ବାଚନ : ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ
ଭବନେଶ୍ୱର : ପଦ୍ମପୁର ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ନେଇ ବିଜେପି ନେତ୍ରୀ କୁସୁମ ଟେଟେ ସୂଚନା ଦେଇଛନ୍ତି । ତେବେ ଶାସକ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ସୂଚନା ମିଳି ନାହିଁ।
ଗତ ଗୁରୁବାର ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନଭେମ୍ବର ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।
ସୂଚନା ଯେ, ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରଠାରୁ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି। ୬୫ ବର୍ଷ ବୟସରେ ଗତ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତଃ ବରିହା ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟ୍ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ଏବଂ ୨୦୦୯ରେ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଆସିବା ପରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ବାଜି ମାରିଥିଲେ। ସେ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ସେ ଦଳର ବରଗଡ଼ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।