ଏଏସଓ ପରୀକ୍ଷାରେ ତ୍ରୁଟି ଅଭିଯୋଗରେ ଓପିଏସସି କାର୍ଯ୍ୟାଳୟ ଘେରିଲେ ଆଶାୟୀ
ଭୁବନେଶ୍ୱର : ଏଏସଓ ପରୀକ୍ଷାରେ ବ୍ୟାପକ ତ୍ରୁଟି ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ଗୁରୁବାର କଟକ ସ୍ଥିତ ଓପିଏସସି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଧାରଣାରତ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି । ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି । ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି । ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି ।
ଅପରପକ୍ଷରେ ଅଭିଯୋଗ ସମ୍ପର୍କରେ ଓପିଏସସି ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ କିଛି ପ୍ରାର୍ଥୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତିହୀନ ଓ ମିଥ୍ୟା । ଓପିଏସସିଙ୍କ ପ୍ରଚଳିତ ନୀତି ଅନୁସାରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହିଁ କମିଶନ ସମସ୍ତ ଉତର ଖାତା, କଟଅଫ ମାର୍କ ଓ ବ୍ୟକ୍ତିଗତ ପ୍ରାର୍ଥୀଙ୍କ ମାର୍କ ଆଦି କମିଶନଙ୍କ ୱେବସାଇଟରେ ଉପଲବ୍ଧ ହେ । ଏହି ନିୟମ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ୟୁପିଏସସି ପରୀକ୍ଷାରେ ଅବଲମ୍ବନ କରାଯାଇଥାଏ । କମିଶନଙ୍କ ଦ୍ୱାରା ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ପାରଦର୍ଶିତାର ସହ ହୋଇଥାଏ । ଏଏସଓ ପରୀକ୍ଷାରେ ମଧ୍ୟ ସେହି ନୀତି ପାଳନ କରାଯାଇଛି । କମିଶନ ତାଙ୍କ ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି ଯେ, ଏଏସଓ ପରୀକ୍ଷାରେ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧୦୪ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଏହା ମୋଟ ବିଜ୍ଞାପିତ ହୋଇଥିବା ପଦବୀ ୭୯୬ର ଦେଢ଼ଗୁଣ ଅଟେ । ପ୍ରତ୍ୟେକ ପେପର ଓ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ କଟଅଫ୍ ମାର୍କ ଚୂଡ଼ାନ୍ତ କରିବା କମିଶନଙ୍କ କ୍ଷମତା ପରିସର । ଏହି ଆଧାରରେ ସର୍ବନିମ୍ନ ମାର୍କ ସ୍ଥିର କରାଯାଇଛି ।
ସୂଚନାଯୋଗ୍ୟ, ଗତ ସୋମବାର ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠୁ ବହୁ ଚାକିରି ଆଶାୟୀ ପ୍ରାର୍ଥୀ ରାଜରାସ୍ତାକୁ ଓହ୍ଲାଇ ପରୀକ୍ଷା ପରିଚାଳନାରେ ଓପିଏସସି କର୍ତୃପକ୍ଷ ବ୍ୟାପକ ଅନିୟମିତତା ଓ ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଥିଲେ ।