ଜମ୍ମୁ-କଶ୍ମୀରରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: ୩ ମୃତ, ୧୭ ଆହତ
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ସାମ୍ବା ଜିଲାରେ ଜମ୍ମୁ-ପଠାନକୋଟ୍ ନାସନାଲ ହାଇଓ୍ବେରେ ବସ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସ୍ରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛି। ପରେ ଆହତଙ୍କୁ ସାମ୍ବା ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯେ, ବୁଧବାର ସନ୍ଧ୍ୟାରେ ଦୁଇଟି ବସ୍ ମୁହାଁମୁହିଁ ହୋଇଥିଲେ। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଏନେଇ ଜିଲା ଚିକିତ୍ସା ଅଧିକାରୀ ଡା. ଭାରତ ଭୂଷଣଙ୍କ ସୂଚନା ଅନୁଯାୟୀ ଘଟଣାରେ ୩ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛନ୍ତି। ୧୭ ଆହତ ହୋଇଛନ୍ତି ଏବଂ ଅନ୍ୟ ୭ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି । କୁହାଯାଉଛି ମୃତକଙ୍କ ସଂଖ୍ୟା ବଢ଼ିପାରେ। ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ତେବେ ପୋଲିସ୍ ଡ୍ରାଇଭରଙ୍କୁ ସନ୍ଧାନ ଜାରି ରଖିବା ସହ ମୃତାହତଙ୍କ ପରିଜନଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରୁଛି।