ବ୍ରାହ୍ମଣୀ ନଦୀରେ ପ୍ରାୟ କାର୍ତିକବୁଡ଼ ପକାଇଲେ ୧୦ ହଜାର ଶ୍ରଦ୍ଧାଳୁ
ବୁଦ୍ଧେଶ୍ୱର ପୀଠରେ ଧୁମଧାମ୍ରେ ବାଲିଯାତ୍ରା ପାଳିତ, ୨୦ ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମ
ଆସନ୍ତାକାଲି ବନ୍ଦ ରହିବ ମନ୍ଦିର, ହେବ ବାଲିଯାତ୍ରା
ଭୁବନ : ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ପବିତ୍ର ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ପାହାନ୍ତା ପ୍ରହରରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକବୁଡ଼ ପକାଇ ଡଙ୍ଗା ଭସାଇ ପ୍ରାତଃ ସମୟରେ ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ କରି କୋଟି ଜନ୍ମର ପୂଣ୍ୟଲାଭ କରିଥିଲେ । ମାସକଯାକ ହବିଷ କରୁଥିବା ହବିଷ୍ୟାଳୀମାନେ ରାଧାଗୋବିନ୍ଦଙ୍କ ପୂଜା ବିଭିନ୍ନ ଢଙ୍ଗରେ କରି ବ୍ରତ ସମାପନ କରିଥିଲେ । ବଡ଼ିଭୋରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା ଓ ଭକ୍ତମାନେ ଧାଡ଼ିରେ ଯାଇ ଠାକୁର ଦର୍ଶନ କରିଥିଲେ । ତୈଳିକ ବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ବରା-ଘୁଘୁନି ସାଙ୍ଗକୁ ଠୁଙ୍କାପୁରୀ, ଚାଟ୍, ଦହିବରା, ଦୋସା, ଫାଷ୍ଟଫୁଡ ଦୋକାନ, ହରେକମାଲ, ମନୋହରି ଦୋକାନ, ଆଇସକ୍ରିମ ପାର୍ଲର ଉଠା ଦୋକାନ ଏବଂ ଡଲା, କୁଲା, ଟୋପି, ବୋଝ ଓ ଅନ୍ୟାନ୍ୟ ଲୁହାଲତା ଦୋକାନର ପସରା ମେଲିଥିଲା । ଲୋକମାନେ ହାଟବଜାରରେ ମିଳୁନଥିବା ବିଭିନ୍ନ ସାମଗ୍ରୀ କିଣିଥିଲେ । ଆର୍ଯ୍ୟସମାଜ ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିବାବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ୍ଫୋର୍ସଙ୍କ ଜରିଆରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ଚଳିତବର୍ଷ ପ୍ରଥମ ଥର ପାଇଁ ପୁରୁଷୋତମପୁର ଶାସନରୁ ରାଧାକୃଷ୍ଣ ଠାକୁର ଆସିନଥିଲେ କି ହରିହର ଭେଟ ହୋଇନଥିଲା । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ସକାଶେ ମନ୍ଦିର ବନ୍ଦ ରହିବ କିନ୍ତୁ ବାଲିଯାତ୍ରା ହେବ ବୋଲି ମନ୍ଦିର କମିଟି ନିଷ୍ପତି ନେଇଛି ।