ଦେଉଳା ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ କୁମାର ପିଳାଙ୍କୁ ଶନିବାର ଜଣେ ଦୃବୁର୍ତ୍ତ ବାସୁଦେବପୁର ଛକରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଘଟଣାରୁ ପ୍ରକାଶ ଯେ ଦେଉଳା ପଞ୍ଚାୟତର ବାସୁଦେବପୁର ଗ୍ରାମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସୁଶାନ୍ତ ବାରିକ ନାମକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ସମସ୍ତ କାର୍ଯ୍ୟକୁ ବିରୋଧ କରିଆସୁଥିଲେ।ତେବେ ସରପଞ୍ଚ ଏ ବିଷୟରେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଙ୍କୁ ଅବଗତ କରାଇଥିଲେ । ବିଡ଼ିଓ ତୁରନ୍ତ ଶୁଶାନ୍ତ ବାରିକ ନାମରେ ଥାନାରେ ଏତଲା ଦେବାକୁ କହିଥିଲେ । ସରପଞ୍ଚ ଶ୍ରୀ ପିଳା ପ୍ରଥମେ ଶୁସାନ୍ତ ବାରିକଙ୍କ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ । ସୁଶାନ୍ତର ବାପା ଘଟଣା ବିଷୟରେ ସବୁ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ସକାଳେ ସରପଞ୍ଚ ଶ୍ରୀ ପିଳା ଘରୁ ବାହାରି ଆସି ବାସୁଦେବପୁର ଛକ ନିକଟରେ ଛିଡା ହୋଇଥିବା ସମୟରେ ହଠାତ୍ ସୁଶାନ୍ତ ବାରିକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ସୁଶାନ୍ତ ବାରିକକୁ ଧରିବାକୁ ଯିବା ସମୟରେ ସେ ସେଠାରୁ ଖସି ପଳାଇ ଯାଇଥିଲା।ଗୁରୁତର ଭାବେ ଆହତ ସରପଞ୍ଚଙ୍କୁ ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ।ପରେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ଏ ବିଷୟରେ ଜଣାଇବା ପରେ ବିଡ଼ିଓ ସରପଞ୍ଚଙ୍କୁ ସଙ୍ଗେ ସଙ୍ଗେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବାକୁ କହିଥିଲେ ।ପରେ ସରପଞ୍ଚ ଶ୍ରୀ ପିଳା ସୁସ୍ଥ ହୋଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଲିଆପାଳ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ଯାଇଛି।