କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ; ପିକଅପ ସହ ମଦ ଜବତ, ଜଣେ ଗିରଫ
ସୋର : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ ୟୁନିଟ -୨ ତରଫରୁ ଶନିବାର ମଧ୍ୟାହ୍ନ ତୁରିଗଡ଼ିଆ ଛକ ନିକଟରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଏକ ପିକଅପ ଗାଡ଼ି ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଶନିବାର ସକାଳେ ଏହି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ପିକଅପ ଗାଡି (ନଂ. ଓଆର୦୧କେ- ୫୭୫୫)ରେ ଖଇରାରୁ ସୋର ଅଭିମୁଖେ ୫୦୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଫଳରେ ଅବକାରୀ ବିଭାଗର ଏହି ଟିମ୍ ଗାଡ଼ିକୁ ଯାଞ୍ଚ କରିବା ପରେ ଦେଶୀମଦ ସହ ଗାଡ଼ିକୁ ଜବତ କରି ଖଇରା ଥାନା ଅଡ଼ା ଗ୍ରାମର ଶୁଭଙ୍କର ଶିଅଳଙ୍କୁ ଗିରଫ କରିଥିଲା । ଶନିବାର ଅପରାହ୍ନର ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ଏଏସ୍ଆଇ ଆଲୋକ ପ୍ରଧାନ, ରମେଶ ଚନ୍ଦ୍ର ବାରିକ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ, ସୁରଜ ବାଇଗା ପ୍ରମୁଖ ସାମିଲ ହୋଇଥିଲେ ।