ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପଡ଼ିଲା ମହଙ୍ଗା, ଜେଲ ଗଲେ ଯୁବକ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କୁ ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା କାଠପାଳ ଗ୍ରାମର ଯୁବକ ରବିନାରାୟଣ ବେହେରାଙ୍କୁ ମହଙ୍ଗା ପଡ଼ିଛି । ଶେଷରେ ଶ୍ରୀ ବେହେରାଙ୍କୁ ଉକ୍ତ ପ୍ରସଙ୍ଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠେଇ ଦେଇଛି ।
ଉପଜିଲାପାଳଙ୍କୁ ଦେଇଥିବା ବିବୃତିରୁ କିଛି ଅଂଶ “କାଲି ଉପଜିଲାପାଳଙ୍କୁ ଗାଳି ଦେଇଥିଲି, ଦରକାର ପଡ଼ିଲେ ପିଟିବି, ବାଲି ଚୋରଙ୍କୁ ଧରି ପାରୁନି ମୋ ନାମରେ ଏତଲା ଦେଇଛି । ମୋତେ ଆଜି ଆରେଷ୍ଟ କରିବ” ବୋଲି ଗତ ଗୁରୁବାର ରାତି ୮ଟା ୪୫ରେ ନିଜ ଫେସବୁକରେ ଲେଖି ପୋଷ୍ଟ କରିଥିଲେ ଶ୍ରୀ ବେହେରା । ଚିରାଚରିତ ପ୍ରଥା ଅନୁସାରେ ଶ୍ରୀ ବେହେରା ନିଜ ଫେସବୁକ ଆଇଡିରେ ନେତା, ଏମ୍ପି, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଅଶାଳୀନ ମନ୍ତବ୍ୟ ଲେଖି ନିଜକୁ ନିଜେ ଗର୍ବ କରୁଥିବା ବେଳେ ନୀଳଗିରି ଉପଜିଲାପାଳଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଲେଖିଥିବା ପୋଷ୍ଟକୁ ନେଇ ନୀଳଗିରି ଉପଜିଲାପାଳ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ପୋଷ୍ଟ କରିବା ପରେ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସଦଳବଳେ କାଠପାଳ ପୋଲ ନିକଟରୁ ଶ୍ରୀ ବେହେରାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଏ ନେଇ ନୀଳଗିରି ଥାନାରେ ମାମଲା (ନଂ. ୩୧୧ ।୨୦୨୨) ରୁଜୁ ହୋଇଥିବା ବେଳେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କର ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।