ଏଫ୍ଏମ୍ୟୁରେ ଗବେଷଣା ସମ୍ମେଳନ ୨୦୨୨, ୧୮ଟି ବିଭାଗର ୧୬୭ ଗବେଷକ ବିଦ୍ୟାର୍ଥୀ ସାମିଲ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ) ଆନୁକୂଲ୍ୟରେ ଶୁକ୍ରବାର ବିଦ୍ୟାବିଭୂଷଣ (ପିଏଚ୍.ଡି) ପର୍ଯ୍ୟାୟର ଏକ ଗବେଷଣା ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର ୧୮ଟି ବିଭାଗର ୧୬୭ ଜଣ ଗବେଷକ ବିଦ୍ୟାର୍ଥୀ ଉପସ୍ଥିତ ରହି ପୋଷ୍ଟର୍ ଜରିଆରେ ନିଜନିଜର ଗବେଷଣା ପ୍ରସଙ୍ଗର ସିଦ୍ଧାନ୍ତ ଓ ନିଷ୍କର୍ଷ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତିଟି ବିଷୟରୁ ୧୮ ଜଣ ବିଷୟ ବିଶେଷଜ୍ଞ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବାହ୍ୟ ପରୀକ୍ଷକ ରୂପେ ନିୟୋଜିତ ରହି ମୂଲ୍ୟାୟନ କରିଥିଲେ ।
ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପ ପରୀକ୍ଷା ନିୟନ୍ତ୍ରକ ଡ. ଗୀତାଞ୍ଜଳି ପଣ୍ଡା ଏହି ଗବେଷଣା ସମ୍ମେଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତଦେଇ ମୂଲ୍ୟବୋଧ ଭିତ୍ତିକ ଗବେଷଣା କାର୍ଯ୍ୟ ସର୍ବଦା ମଣିଷର ସାମାଜିକ-ସାଂସ୍କୃତିକ ହିତ ସାଧନରେ ବ୍ୟବହୃତ ହୋଇଥାଏ ବୋଲି ପ୍ରକାଶ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରତ୍ୟେକ ବିଦ୍ୟାର୍ଥୀ ବ୍ୟକ୍ତି ପ୍ରତିଦ୍ୱନ୍ଦିତା ନକରି ଆତ୍ମ ପ୍ରତିଦ୍ୱନ୍ଦିତା କରିବାର ପ୍ରାସଙ୍ଗିକତା ଉପଲବ୍ôଧ କରିପାରିଲେ ଉନ୍ନତିର ପଥ ଉନ୍ମୋଚିତ ହୋଇପାରିବ ବୋଲି ମତ ଦେଇଥିଲେ । ଏକ ଉନ୍ନତ ମାନର ଶୈକ୍ଷିକ-ସାଂସ୍କୃତିକ ପରମ୍ପରା ସୃଷ୍ଟି କରିବା ଏହି ଗବେଷଣା ସମ୍ମେଳନର ଅନ୍ୟ ଏକ ଲକ୍ଷ୍ୟଣୀୟ ବୈଶିଷ୍ଟ୍ୟ ବୋଲି ସେ କହିବା ସହିତ ପୁରସ୍କାର ମହତ୍ତ୍ୱ ରଖେ, କିନ୍ତୁ ପୁରସ୍କାର ସର୍ବସ୍ୱ ନୁହେଁ ବୋଲି ପ୍ରକାଶ କରିଥିଲେ ଏବଂ କର୍ମଯୋଗୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମେଳନର ସଂଯୋଜକ ଡ. ନିହାର ରଞ୍ଜନ ରାଉତ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଗବେଷିକା, ଗବେଷକ ଗୋଟିଏ ବିନ୍ଦୁରେ ଏକତ୍ରିତ ହୋଇ ପୋଷ୍ଟର ମାଧ୍ୟମରେ ନିଜନିଜର ଗବେଷଣାତ୍ମକ ଦୃଷ୍ଟିକୋଣ ଜନିତ ସିଦ୍ଧାନ୍ତ ଓ ତର୍କ ଉପସ୍ଥାନ କରିବାର ସୁଯୋଗ ପାଉଥିବା ହେତୁ ସେମାନଙ୍କ ଚିନ୍ତାମାନସ ବିକଶିତ ହୋଇପାରିବ ବୋଲି ମତ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଗବେଷଣା କାର୍ଯ୍ୟକୁ ବିଶ୍ଳେଷଣ ଓ ତର୍ଜମା କରିବାର ଏକ କ୍ଷେତ୍ର ପ୍ରସ୍ତୁତ ହୋଇପାରୁଥିବା ହେତୁ ଏହିପରି ଗବେଷଣା ସମ୍ମେଳନ ପ୍ରତିଟି ଗବେଷକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଅନୁରୂପ ଭାବରେ ବାହ୍ୟ ପରୀକ୍ଷକବୃନ୍ଦ ନିଜନିଜର ମୂଲ୍ୟାୟନ ଭିତ୍ତିକ ଅନୁଭୂତି ଆଧାରରେ ବିଦ୍ୟାର୍ଥୀମାନେ ଗୁଣାତ୍ମକ ଓ ମୂଲ୍ୟବୋଧ ଭିତ୍ତିକ ଗବେଷଣା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏପରି ପ୍ରୟାସ ଦୃଷ୍ଟାନ୍ତ ମୂଳକ ଓ ପ୍ରଶଂଶନୀୟ ଅଟେ ବୋଲି ମତ ଦେଇଥିଲେ । ସେହିପରି ଗବେଷଣା କାର୍ଯ୍ୟର ମାର୍ଗଦର୍ଶକ ମାନଙ୍କ ମଧ୍ୟରୁ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ବିଦ୍ୟାର୍ଥୀମାନେ ନିଜକୁ ତଥା ନିଜ ଗବେଷଣା କାର୍ଯ୍ୟକୁ ଆହୁରି ମାର୍ଜିତ ଓ ନୂତନ ସିଦ୍ଧାନ୍ତ ମୂଳକ କରି ଏକ ଗୁଣାତ୍ମକ ଗବେଷଣା କାର୍ଯ୍ୟ ପ୍ରସ୍ତୁତ କରିବାର ଏକ ଉତ୍ତମକ୍ଷେତ୍ର ଏହି ସମ୍ମେଳନ ମାଧ୍ୟମରେ ପାଇବାର ସୁଯୋଗ ସୃଷ୍ଟି ହୋଇଛି ବୋଲି ମତ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଗବେଷକ ବିଦ୍ୟାର୍ଥୀବୃନ୍ଦ ଏହିପ୍ରକାର ଗବେଷଣା ସମ୍ମେଳନ ସେମାନଙ୍କ ଗବେଷଣା କାର୍ଯ୍ୟକୁ ନୂତନ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହୋଇପାରିଛି, ସର୍ବୋପରି ଗବେଷଣା କାର୍ଯ୍ୟକୁ ସତଥ୍ୟ ସସତ୍ୟ କରି ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ମିଳିପାରିଛି ବୋଲି ମତ ଦେଇଥିଲେ । ଶେଷରେ ପ୍ରତ୍ୟେକ ବିଷୟରୁ ଜଣେ ଜଣେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଡ. ମିହିର ତନୟ ଦାସ ଏହି ସଭା କାର୍ଯ୍ୟର ସଂଯୋଜନା କରିଥିବା ବେଳେ ଶେଷରେ ଡ. ସୁସ୍ମିତା ରାଉତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।