୩୧ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର : ବାତ୍ୟା ୟାସକୁ ଆଖି ଆଗରେ ରଖି ସମସ୍ତ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖ ଯାଏଁ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେନି । ତା ସହିତ କୌଣସି କର୍ମଚାରୀ ମୁଖ୍ୟାଳୟରେ ଛାଡି ପାରିବେନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅତି ଜରୁରୀ ଥିଲେ ବିଭାଗୀୟ ଅଧିକାରୀଙ୍କ ଅନୁମତିରେ କର୍ମଚାରୀ ଛୁଟି ନେଇପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ବାତ୍ୟା ମୁକାବିଲା ନେଇ ବରିଷ୍ଠ ଆଇଏଏସ, ଆଇପିଏସ ଅଫିସରମାନଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ଆଇଏସଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଭାବିତ ଜିଲ୍ଲାର ପୋଲିସ ମାନଙ୍କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ଆଇପିଏସଙ୍କୁ ଦାୟିତ୍ୱ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଇଏଏସ ହେମନ୍ତ ଶର୍ମା ଓ ଆଇପିଏସ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର- ଶାଶ୍ୱତ ମିଶ୍ର ଓ ଅମିତାଭ ଠାକୁର, ଭଦ୍ରକ- ଭିଭି ଯାଦବ ଓ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର- ବିଶାଲ୍ ଦେବ ଓ ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ- ସୁରେଶ ବଶିଷ୍ଟ ଓ ଅନିରୁଦ୍ଧ କୁମାର ସିଂହକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବିଶେଷ କରି ବାଲେଶ୍ବର ଜିଲ୍ଲାରେ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। କାଲି ସୁଦ୍ଧା ପ୍ରସ୍ତୁତି ସାରିବାକୁ ପଡିବ। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ଜିଲ୍ଲାରୁ୧ ଲକ୍ଷ ୪୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଟାର୍ଗେଟ ରଖାଯାଇଛି। ବାଲେଶ୍ବର ଜିଲ୍ଲାରେ ୧୨ଟି ଦମକଳ ଟିମ୍ ମହଜୁଦ ଥିବା ବେଳେ ୨୦ଟି ଦମକଳ ଟିମ ବାହାର ଜିଲ୍ଲାରୁ ଆସି ପହଂଚିଛନ୍ତି। ସେମାନଙ୍କୁ ଭୋଗରାଇ, ବାଲିଆପାଳ, ସୋର, ବାହାନଗା, ରେମୁଣା ଆଦି ବ୍ଲକକୁ ପଠାଯାଇଛି । ବରିଷ୍ଠ ଆଇଏସ ଅଫିସର ବିଶାଳ ଦେବ ,କ୍ରାଇମବ୍ରାଂଚ ଏଡିଜି ଯଶୋବ ଜେଠଓ। ବାଲେଶ୍ବର ଆସି ପୋଲିସ ଓ ଓଡ୍ରାଫ୍ ଟିମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗର ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ୟାସ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବା ସହିତ ଭଦ୍ରକ କିମ୍ବା ବାଲେଶ୍ୱରରେ ସ୍ଥଳଭାଗ ଛୁଇଁପାରେ । ତେଣୁ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଏବେ ପ୍ରସ୍ତୁତ ହେଉଛି ଓଡିଶା । ଆଉ ଏହାକୁ ଆଖି ଆଗରେ ରଖି ଏବେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି ।