ବାରିପଦା ଠାରେ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ପାଳିତ
ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଆଠ ଘଟିକା ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଏକ ସଚେତନତା ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ପ୍ରାକୃତିକ ବିପର୍ଯୟ ସମୟରେ ନିଜେ କିମ୍ବା ନିଜ ଆଖପାଖ ରେ କୌଣସି ବିପଦ ର ସମ୍ମୁଖୀନ ହେଲେ ସେଥିରୁ କେମିତି ଆତ୍ମରକ୍ଷା କରିହେବବା ବିପଦ ରେ ପଡ଼ିଥିବା ଅନ୍ୟ ମାନଙ୍କୁ କିପରି ସାହାଯ୍ୟ କରି ସେମାନଙ୍କ ଜୀବନ ରକ୍ଷା କରିହେବ ସେ ବିଷୟ ରେ ବାର୍ତା ଦେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ୍ରାଫ୍ଟ ଟିମ ତରଫରୁ ବିପର୍ଯୟ ସମୟରେ କିଭଳି ଲୋକଙ୍କ ଜୀବନ ରକ୍ଷା ତଥା ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିହେବ ସେ ସମ୍ବନ୍ଧରେ କଳା କୌଶଳ ପ୍ରଦର୍ଶନ କରିଥିଲେ । ସେହିପରି ଅଗ୍ନିଶମ ଅଧିକାରୀଙ୍କ ତରଫରୁ ଆକସ୍ମିକ ଅଗ୍ନି କାଣ୍ଡ ଜନିତ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ସଦଭାବନା ସଭା ଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କ ସଭାପତିତ୍ୱ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜରୁରୀ କାଳୀନ ବିଭାଗର ଡେପୁଟି କଲେକଟର ସୁଜୟ କୁମାର ପତି, ଓଡ୍ରାଫ୍ଟ ଟିମର ମୁଖ୍ୟ ଏବଂ ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଶଶିଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।